Categories: ଜାତୀୟ

ମୋଦି ସରକାର କରିଛନ୍ତି ଦେଶଦ୍ରୋହ, ଚୌକିଦାର ହିଁ ଗୁପ୍ତଚର, ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୯।୧ : ପେଗାସସ ଗୁପ୍ତଚରୀ ମାମଲା ସମ୍ପର୍କରେ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସାରେ ଖବର ଉପରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ ମୋଦି ସରକାର ଦେଶଦ୍ରୋହ କରିଛନ୍ତି।

ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୧୭ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗସ୍ତରେ ଯାଇଥିଲେ ସେତେବେଳେ ଦୁଇ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ଚୁକ୍ତି କରାଯାଇଥିଲା। ଏହି ଡିଲରେ ପେଗାସସ ବିଷୟରେ ମଧ୍ୟ ଏକ ଚୁକ୍ତି ହୋଇଥିଲା।

ରାହୁଲ କହିଛନ୍ତି ଆମ ଗଣତନ୍ତ୍ରର ପ୍ରାଥମିକ ଅନୁଷ୍ଠାନ, ରାଜନେତା ତଥା ଜନସାଧାରଣଙ୍କ ଉପରେ ଗୁପ୍ତଚରୀ କରିବା ପାଇଁ ମୋଦି ସରକାର ପେଗାସସ କିଣିଛନ୍ତି। ଫୋନକୁ ଟ୍ୟାପ କରି ଶାସକ ଦଳ, ବିରୋଧୀ ଦଳ, ସେନା, ନ୍ୟାୟପାଳିକା ସମସ୍ତଙ୍କୁ ଟାର୍ଗେଟ କରାଯାଇଛି। ଏହା ଦେଶଦ୍ରୋହ। ଚୌକିଦାର ହିଁ ଗୁପ୍ତଚର ପାଲଟିଛନ୍ତି ବୋଲି ରାହୁଲ କହିଛନ୍ତି।

ଏଥି ସହ ରାଜ୍ୟ ସଭା ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଟୁଇଟ କରି କହିଛନ୍ତି ଯେ ମୋଦି ସରକାର କାହିଁକି ଭାରତର ଶତ୍ରୁ ଭଳି କାର୍ଯ୍ୟ କରିଛନ୍ତି ? ଭାରତୀୟ ନାଗରିକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଯୁଦ୍ଧ ଅସ୍ତ୍ର କାହିଁକି ବ୍ୟବହାର କରିଛନ୍ତି? ବୋଲି ସେ ପ୍ରଶ୍ନ କରିଛନ୍ତି। ପେଗାସସ ବ୍ୟବହାର ବେଆଇନ। ଗୁପ୍ତଚର ହେଉଛି ଦେଶଦ୍ରୋହ। କେହି ଆଇନଠାରୁ ଉ ର୍ଦ୍ଧ୍ୱରେ ନାହାଁନ୍ତି। ଏହି ମାମଲାରେ ନ୍ୟାୟ ନିଶ୍ଚିତ ହେବ ବୋଲି ଆମର ବିଶ୍ୱାସ ରହିଛି।

ଭାଜପାର ବିଦ୍ରୋହୀ ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ ନ୍ୟୁୟର୍କ ଟାଇମ୍ସର ପ୍ରକାଶନକୁ ମୋଦୀ ସରକାର ପ୍ରତ୍ୟାଖ୍ୟାନ କରିବା ଉଚିତ। ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ପେଗାସସ କୁ ୩୦୦କୋଟିରେ ବିକ୍ରି କରିଛି। ସରକାର ସୁପ୍ରିମକୋର୍ଟ ଏବଂ ସଂସଦକୁ ବିଭ୍ରାନ୍ତ କରିଥିବା ଜଣାପଡିଛି। ଏହା କଣ ୱାଟରଗେଟ? ବୋଲି ସେ ପ୍ରଶ୍ନ କରିଛନ୍ତି।

ଗତ ବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରି ଇସ୍ରାଏଲର ଗୁପ୍ତଚର ପେଗାସସ ମାଧ୍ୟମରେ ଭାରତୀୟ ନାଗରିକଙ୍କ ଗୁପ୍ତଚର ମାମଲାର ଯାଞ୍ଚ କରିଥିଲେ। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଗୋଷ୍ଠୀର ଏକ ସଙ୍ଗଠନ ଦାବି କରିଛନ୍ତି ଯେ ପେଗାସସକୁ ବହୁ ଭାରତୀୟ ରାଜନେତା, ମନ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତା, ବ୍ୟବସାୟୀ ଏବଂ ସାମ୍ବାଦିକଙ୍କ ବିରୋଧରେ ବ୍ୟବହାର କରାଯାଇଛି।

Share