Categories: ଜାତୀୟ

ମୋଦି ସରକାର ଗରିବ ବିରୋଧୀ: କଂଗ୍ରେସ

ନୂଆଦିଲ୍ଲୀ, ୨୨ା୬(ପି.ଟି.) : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗରିବ ବିରୋଧୀ ବୋଲି ବୁଧବାର କଂଗ୍ରେସ ଅଭିଯୋଗ କରିଛି। ଖୋଲା ବଜାର ବିକ୍ରି ଯୋଜନା (ଓଏମ୍‌ଏସ୍‌ଏସ୍‌)ରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଖାଦ୍ୟଶସ୍ୟ ବିକ୍ରି ବନ୍ଦ କରିଦେଇଛନ୍ତି। କର୍ନାଟକ ସରକାରଙ୍କ ଅନ୍ନ ଭାଗ୍ୟ ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିବା କଂଗ୍ରେସ କହିଛି। କର୍ନାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ବିପିଏଲ୍‌ ପରିବାରକୁ ୧୦ କିଲୋଗ୍ରାମ ଲେଖାଏ ଚାଉଳ ଯୋଗାଇ ଦେବ ବୋଲି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା। ଦଳର ୫ ନିର୍ବାଚନ ପୂର୍ବବର୍ତ୍ତୀ ଗ୍ୟାରେଣ୍ଟି ମଧ୍ୟରୁ ଅନ୍ନ ଭାଗ୍ୟ ଯୋଜନା ଅନ୍ୟତମ। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଓଏମ୍‌ଏସ୍‌ଏସ୍‌ରେ ଚାଉଳ ବିକ୍ରି ବନ୍ଦ କରିବା ଷଡ଼ଯନ୍ତ୍ରପୂର୍ଣ୍ଣ ରାଜନୀତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ଗତ ମେ’ ୧୩ରେ କର୍ନାଟକ ଜନସାଧାରଣ ପ୍ରଧାନମନ୍ତ୍ରୀ ଏବଂ ଭାଜପାକୁ ପ୍ରତ୍ୟାଖ୍ୟାନ କଲେ। ଜୁନ୍‌ ୨ରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ରାଜ୍ୟରେ ଅନ୍ନଭାଗ୍ୟ ଗ୍ୟାରେଣ୍ଟି ଯୋଜନା ଜୁଲାଇରୁ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କଲେ। ଜୁନ୍‌ ୧୩ରେ କେନ୍ଦ୍ର ସରକାର ସର୍କୁଲାର ଜାରି କରି ଓଏମ୍‌ଏସ୍‌ଏସ୍‌ରେ ରାଜ୍ୟଗୁଡ଼ିକୁ ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ)ରୁ ଚାଉଳ ବିକ୍ରି ବନ୍ଦ କରିଦେଲେ। ଅନ୍ନ ଭାଗ୍ୟକୁ ବନ୍ଦ କରିବା ପାଇଁ ଏହା କରାଯାଇଥିବା ଜୟରାମ କହିଛନ୍ତି। କର୍ନାଟକ ସରକାର ଏଫସିଆଇକୁ ଚାଉଳ କ୍ୱିଣ୍ଟାଲ ପ୍ରତି ୩,୪୦୦ ଟଙ୍କା ଦେବାକୁ ଚାହୁଁଥିଲେ। କିନ୍ତୁ ଉକ୍ତ ଓ୍ବିଣ୍ଡୋକୁ ବନ୍ଦ କରିଦିଆଗଲା। ଅନ୍ୟପକ୍ଷରେ ଇଥାନୋଲ ଉତ୍ପାଦନ ଏବଂ ପେଟ୍ରୋଲ ବେଣ୍ଡିଂ ପାଇଁ ଏଫ୍‌ସିଆଇ କୁଇଣ୍ଟାଲ ୨,୦୦୦ ଟଙ୍କା ଦରରେ ଚାଉଳ ବିକ୍ରି ଜାରି ରଖିଛି। ସବୁବେଳେ ଖାଦ୍ୟ ନିରାପତ୍ତା ସର୍ବାଧିକ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ବୋଲି ଜୟରାମ କହିଛନ୍ତି।

Share