ନୂଆଦିଲ୍ଲୀ,୧୬।୨: କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲେ। ୫୯ ଚାଇନା ଆପ୍କୁ ବ୍ୟାନ୍ କରାଯାଇଥିଲା। ଏହାଦ୍ୱାରା ଭାରତୀୟ ଆପ୍ ବଜାରରେ ଚାଇନା ଆପ୍ର ଚାହିଦା କମି ୨୯ ପ୍ରତିଶତରେ ସୀମିତ ରହିଛି। ୨୦୧୯ରେ ଏହା ୩୯ ପ୍ରତିଶତ ଥିଲା। ୨୦୨୦ରେ ଏହା ୩୮ ପ୍ରତିଶତରେ ପହଞ୍ଚିଥିଲା। ତେବେ ସମ୍ପ୍ରତି ଏଥିରେ ପୁଣି ୯ ପ୍ରତିଶତ ହ୍ରାସ ଘଟିଛି। ଏହା ଦ୍ୱାରା ଚାଇନା ଆପ୍ ବଜାରକୁ ବଡ଼ ଝଟ୍କା ଲାଗିଛି। ଆପ୍ସଫ୍ଲାୟର କମ୍ପାନୀ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଭାରତ ସହିତ ଆମେରିକା, ଜର୍ମାନୀ, ଇସ୍ରାଏଲ୍ ଏବଂ ରୁଷ୍ ମଧ୍ୟ ଚାଇନା ଆପ୍କୁ ନିଜ ନିଜ ଦେଶରେ କମାଇ ଦେଇଛନ୍ତି। ଭାରତରେ ସ୍ବଦେଶୀ ଆପ୍ର ଚାହିଦା ଏବେ ବଢ଼ିବାରେ ଲାଗିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। କରୋନା ମହାମାରୀ ସମୟରେ ଘୋଷଣା ହୋଇଥିବା ଲକ୍ଡାଉନ୍ ଯୋଗୁ ଭାରତୀୟ ସ୍ବଦେଶୀ ଆପ୍ ବଜାର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥିଲା। ଲୋକେ ଘରି ରହି ସମୟ ବିତାଇବା ପାଇଁ ଏସବୁ ଆପ୍ର ବ୍ୟବହାର କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।