Categories: ଜାତୀୟ

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଏବେ ଯେ କୌଣସି ଭାରତୀୟ ଜମ୍ମୁ-କଶ୍ମୀର, ଲଦ୍ଦାଖରେ କିଣି ପାରିବେ ଜମି

ନୂଆଦିଲ୍ଲୀ,୨୭ ।୧୦: କେନ୍ଦ୍ରର ମୋଦି ସରକାର ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଦେଶର ଯେ କୌଣସି ବ୍ୟକ୍ତି ଜମି କ୍ରୟ କରି ବସବାସ କରିପାରିବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏ ସମ୍ପର୍କରେ ନୂଆ ଅଧିସୂଚନା ଜାରି କରାଯାଇଛି । ମନ୍ତ୍ରଣାଳୟ କହିଛି ଏହି ନିର୍ଦ୍ଦେଶକୁ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ପୁନର୍ଗଠନ(ଆଡପଶନ ଅଫ୍ ସେଣ୍ଟ୍ରାଲ ଲଜ୍‌)ତୃତୀୟ ଆଦେଶ, ୨୦୨୦ କୁହାଯିବ । ଏହା ତୁରନ୍ତ ଲାଗୁ କରାଯିବ । ଏହାପରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ଆମେ ଚାହୁଁଛୁ ବାହାରର ଉଦ୍ଦ୍ୟୋଗ ଜମ୍ମୁ-କଶ୍ମୀରରେ ସ୍ଥାପନ କରାଯାଉ । ହେଲେ ଚାଷଜମି କେବଳ ରାଜ୍ୟବାସୀଙ୍କ ପାଖରେ ରହିବ । ସୂଚନାଯୋଗ୍ୟ, ଏହା ପୂର୍ବରୁ କେବଳ ସେଠାକାର ବାସିନ୍ଦା ହିଁ ସେଠାରେ ଜମି କିଣାବିକା କରିପାରୁଥିଲେ । ମୋଦି ସରକାରଙ୍କ ନୂଆ ଅଧିସୂଚନା ଅନୁଯାୟୀ, ଏବେ ବାହାର ରାଜ୍ୟର ଲୋକେ ମଧ୍ୟ ସେଠାରେ ଜମି କିଣି ପାରିବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଜମ୍ମୁ-କଶ୍ମୀର ପୁନର୍ଗଠନ ଅଧିନିୟମ ଅନ୍ତର୍ଗତ । ଏହାପରେ ଏବେ ଯେ କୌଣସି ଭାରତୀୟ ଜମ୍ମୁ-କଶ୍ମୀରରେ ଘର, ଫ୍ୟାକ୍ଟ୍ରି ଅଥବା ଦୋକାନ ପାଇଁ ଜମି କିଣି ପାରିବେ । ଏଥିପାଇଁ ସ୍ଥାନୀୟ ବାସିନ୍ଦାର କୌଣସି ପ୍ରମାଣ ପତ୍ର ଦେବାକୁ ପଡିବ ନାହିଁ । ସୂଚନାଯୋଗ୍ୟ, ଗତବର୍ଷ କେନ୍ଦ୍ର ସରକାର ସେଠାରୁ ଅନୁଚ୍ଛେଦ ୩୭୦ ହଟାଇ ଦେଇଥିଲେ । ଏହାପରେ ୩୧ ଅକ୍ଟୋବର ୨୦୧୯ରେ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହୋଇଯାଇଥିଲା । ଏବେ ଗୋଟିଏ ବର୍ଷ ପରେ ଏଠାକାର ଆଇନରେ ପରିବର୍ତ୍ତନ କରାଯାଇଛି ।

Share