Categories: ଜାତୀୟ

ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ ଜନଗଣନା

ନୂଆଦିଲ୍ଲୀ,୨୨ା୮: ଭାରତର ବହୁ ବିଳମ୍ବିତ ଜନଗଣନା ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ। ସରକାରୀ ସୂତ୍ରକୁ ଉଦ୍ଧାର କରି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହା ପ୍ରକାଶ କରିଛି। ଜନଗଣନା ପ୍ରତି ୧୦ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ୨୦୨୧ରେ ଶେଷ ହେବାକୁ ଥିବା ଜନଗଣନା କୋଭିଡ୍‌ ମହାମାରୀ ପାଇଁ ବିଳମ୍ବିତ ହୋଇଥିଲା। ଏଥିସହିତ ପ୍ରଯୁକ୍ତିଗତ ଏବଂ ଲଜିଷ୍ଟିକାଲ ପ୍ରତିବନ୍ଧକ ଜନଗଣନାକୁ ଅଧିକ ବିଳମ୍ବିତ କରିଥିଲା।

ଆସନ୍ତା ମାସରୁ ଜନଗଣନା ଆରମ୍ଭ ହେଲେ ଏହା ଶେଷ ହେବାକୁ ୧୮ ମାସ ଲାଗିପାରେ ବୋଲି ଆଶା କରାଯାଉଛି। ଉକ୍ତ ସର୍ଭେ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଅଧିକାରୀମାନେ ଏହି ସୂଚନା ଦେଇଥିବାବେଳେ ପ୍ରକ୍ରିୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟର ଚୂଡ଼ାନ୍ତ ଅନୁମୋଦନକୁ ଅପେକ୍ଷା କରିଥିବା କହିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଜନଗଣନା ତଦାରଖ ଦାୟିତ୍ୱ ନେଇଥାନ୍ତି। ୨୦୨୬ ମାର୍ଚ୍ଚରେ ଜନଗଣନା ଫଳାଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ସମୟନିର୍ଘଣ୍ଟ ସ୍ଥିର ହୋଇଛି। ତେବେ ଉଭୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ୨୦୧୧ରେ ହୋଇଥିବା ଶେଷ ଜନଗଣନା ଅନୁଯାୟୀ ଭାରତର ଜନସଂଖ୍ୟା ସେତେବେଳେ ୧୨୧.୧ କୋଟି ଥିଲା। ଭାରତର ଜନସଂଖ୍ୟା ଏବେ ଚାଇନାକୁ ଟପି ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଥିବା ଜାତିସଂଘ ୨୦୨୩ ଏପ୍ରିଲରେ ରିପୋର୍ଟ ଦେଇଥିଲା। ସେହି ସମୟରେ ଭାରତର ଲୋକସଂଖ୍ୟା ୧୪୨ କୋଟିରୁ ଅଧିକ ହୋଇଥିବା ଆକଳନ କରାଯାଇଥିଲା।

ଜନସଂଖ୍ୟା, ଅର୍ଥନୈତିକ କାରବାର, ସାକ୍ଷରତା, ଏବଂ ଗୃହସଂଖ୍ୟା ଆଦିର ସବିଶେଷ ତଥ୍ୟ ଦଶବର୍ଷୀୟ ଜନଗଣନା ସର୍ଭେରୁ ଜଣାପଡ଼ିଥାଏ। ସରକାରୀ ଯୋଜନା ପ୍ରଣୟନ, ନୀତି ନିର୍ଦ୍ଧାରଣ ଏବଂ ସାରା ଦେଶରେ ସମ୍ବଳ ଓ ସେବାର ସୁଷମ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ଏହି ତଥ୍ୟ ଜରୁରୀ। ଏହା ବ୍ୟତୀତ ଜନଗଣନାରୁ ଆଞ୍ଚଳିକ ତାରତମ୍ୟ ଜଣାପଡ଼ିବା ସହ ବିକାଶର ଧାରା ସମ୍ପର୍କରେ ସୂଚନା ମିଳିଥାଏ, ଯାହା ପ୍ରଭାବୀ ଶାସନ ଏବଂ ସମାନ ଅଭିବୃଦ୍ଧି ପାଇଁ ଆବଶ୍ୟକ।

୨୦୨୧ର ଜନଗଣନାରେ ଦୀର୍ଘ ବିଳମ୍ବକୁ ନେଇ କେନ୍ଦ୍ର ସରକାର ସମାଲୋଚିତ ହୋଇଛନ୍ତି। ଲୋକ ସଭା ନିର୍ବାଚନ ବେଳେ ବିରୋଧୀ ଦଳଗୁଡ଼ିକ ଜାତି ଜନଗଣନା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ଦାବି ବଢ଼ିବାରେ ଲାଗିଛି।

Share