ଅହମ୍ମଦାବାଦ,୩୦ା୧୧: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର କହିଛନ୍ତି, ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଂଶ ଶତାବ୍ଦୀରେ ଗୁଜରାଟର ସମ୍ମାନ ଓ ଗର୍ବର ପ୍ରତୀକ ଥିଲେ। ସେହିପରି ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ‘ସମ୍ମାନ ଓ ଗର୍ବ’ ଭାବରେ ଉଭା ହୋଇଛନ୍ତି।
ଡିସେମ୍ବର ୧ରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ରାବଣ’ ମନ୍ତବ୍ୟ ସମଗ୍ର କଂଗ୍ରେସ ନେତୃତ୍ୱର ମାନସିକତାକୁ ପ୍ରତିଫଳିତ କରିଛି।
ସେ କହିଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଗୁଜରାଟର ଲୋକେ ଠିକ୍ ସମୟରେ ଉପଯୁକ୍ତ ଜବାବ ଦେବେ। ‘ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲ’ ବିଂଶ ଶତାବ୍ଦୀରେ ଗୁଜରାଟର ସମ୍ମାନ ଏବଂ ଗର୍ବର ପ୍ରତୀକ ହୋଇଥିବାବେଳେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକବିଂଶ ଶତାବ୍ଦୀରେ ଗୁଜରାଟର ସମ୍ମାନ ଏବଂ ଗର୍ବ ଭାବରେ ଉଭା ହୋଇଛନ୍ତି। କିନ୍ତୁ ଆଜି ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଖରାପ ଭାଷା ବ୍ୟବହାର କରାଯାଉଛି। ଯାହାକି ଗୁଜରାଟବାସୀଙ୍କ ପାଇଁ ଅପମାନଜନକ।