Categories: ଜାତୀୟ

କାହା ନାଁ ନ ନେଇ ଜୋର୍‌ଦାର ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରରେ ନିରନ୍ତର ରହିଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ମହାରାଷ୍ଟ୍ରର ନନ୍ଦୁରବରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ସେ କର୍ନାଟକରେ ଶାସନ କରୁଥିବା କଂଗ୍ରେସରେ ଧର୍ମ ଭିତ୍ତିକ ସଂରକ୍ଷଣ ପ୍ରଦାନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ କହିଛନ୍ତି, କର୍ନାଟକରେ ଧର୍ମ ଆଧାରରେ ସଂରକ୍ଷଣ କାହିଁକି? ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, ସେ ସଂରକ୍ଷଣକୁ ନେବାକୁ ଅନୁମତି ଦେବେ ନାହିଁ। ଦେଶର ପୁରାତନ ଦଳକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଆପଣମାନଙ୍କ ସମ୍ପତ୍ତି ଜବତ କରିବାକୁ କଂଗ୍ରେସ ଷଡ଼ଯନ୍ତ୍ର କରୁଛି। ପ୍ରଧାନମନ୍ତ୍ରୀ କାହା ନାଁ ନ ନେଇ ସାମ୍‌ ପିଟ୍ରୋଡା ଏବଂ ରାହୁଲ ଗାନ୍ଧୀଙ୍କୁ ତେର୍ଚ୍ଛାବାଣ ମାରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ସେ ଜୀବିତ ଥିବା ପର୍ଯ୍ୟନ୍ତ, ସଂରକ୍ଷଣର ଅଧିକାରକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ‘ଗୋଟିଏ ପଟେ କଂଗ୍ରେସ କହିଛି ଯେ, ମୋଦି ତୁମର କବର ଖୋଳିବେ। ଗୋଟିଏ ପଟେ ନକଲି ଶିବସେନା ମୋତେ ସମାଧି ଦେବା ବିଷୟରେ କହୁଛନ୍ତି। ମୁଁ ବାଲାସାହେବ ଠାକରେଙ୍କୁ ଅତି ନିକଟରୁ ଦେଖିଛି। ମୋଦିଙ୍କୁ ଜୀବିତ ଥିବାବେଳେ ବି କେହି କବର ଦେବାରେ ସକ୍ଷମ ହେବେ ନାହିଁ।

ପୂର୍ବତନ ଭାରତୀୟ ବିଦେଶ କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡାଙ୍କ ମନ୍ତବ୍ୟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଦଳ ଉପରେ ସିଧା ଆକ୍ରମଣ କରିଥିଲେ। ସେ କହିଛନ୍ତି, ଶେହଜାଦଙ୍କ ଅଙ୍କଲ ଜାତିଭିତ୍ତିକ ମନ୍ତବ୍ୟ ଦେଇଛନ୍ତି। ଶେହଜାଦଙ୍କ ଗୁରୁ ଆମେରିକାରୁ କହିଛନ୍ତି, ରାମମନ୍ଦିରର ରାମ ନବମୀ ପର୍ବ ଭାରତର ଆଇଡିଆର ଖିଲାପ ଅଟେ। ମୋଦି ମନ୍ଦିରକୁ ଯିବାବେଳେ ମଧ୍ୟ ତାଙ୍କ ପେଟରେ ମୂଷା ଦୌଡୁଥାଏ। କ’ଣ ମନ୍ଦିର ଯିବା ଦେଶଦ୍ରୋହ? ଭାରତର ଅସ୍ତିତ୍ୱ ରାମ ଏବଂ ପ୍ରେରଣାର ପୁଞ୍ଜି ମଧ୍ୟ ରାମ।

ଏକ ସାକ୍ଷାତକାରରେ ସାମ୍‌ ପିଟ୍ରୋଡା କହିଥିଲେ, ପୂର୍ବର ଲୋକମାନେ ଚାଇନିଜ ଏବଂ ଦକ୍ଷିଣ ଭାରତର ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି।

Share