Categories: ଜାତୀୟ

‘ମୋଦିଙ୍କ କିଛି ଅବଦାନ ନାହିଁ’

ନୂଆଦିଲ୍ଲୀ,୩ା୮: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ଅବଦାନ ନାହିଁ। ଏପରି କି ରାମମନ୍ଦିର ପ୍ରତିଷ୍ଠା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେବାବେଳେ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ଅନୁଗ୍ରହ ପାଇବା ପାଇଁ ମୋଦି ସରକାର କୌଣସି ପ୍ରକାର ଉଦ୍ୟମ କରି ନ ଥିଲେ ବୋଲି ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି।
ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ମୋଦି ଭୂମି ପୂଜନ ଉତ୍ସବରେ ଯୋଗଦେବାକୁ ଅଯୋଧ୍ୟା ଯାଉଥିବାବେଳେ ରାମମନ୍ଦିର ନିର୍ମାଣ କ୍ଷେତ୍ରରେ ତାଙ୍କର କିଛି ଅବଦାନ ନାହିଁ ବୋଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ସ୍ପଷ୍ଟ କରିଛନ୍ତି। ସ୍ବାମୀ କହିଛନ୍ତି, ମନ୍ଦିର ସପକ୍ଷରେ ଆମେ ଯୁକ୍ତି ଓ ବିତର୍କ କଲୁ। ସରକାର ଏପରି କିଛି କରିନାହାନ୍ତି, ଯାହାକୁ ମନ୍ଦିର ନିର୍ମାଣ ସପକ୍ଷରେ ସୁପ୍ରିମକୋର୍ଟ ରାୟ ପାଇଁ ଏକ ଫ୍ୟାକ୍ଟର ବୋଲି କୁହାଯାଇ ପାରିବ। ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ପି.ଭି. ନରସିଂହ ରାଓ ଏବଂ ବିଶ୍ୱହିନ୍ଦୁ ପରିଷଦର ଅଶୋକ ସିଂହଲ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଏଜେଣ୍ଡାକୁ ଆଗକୁ ବଢ଼ାଇଥିଲେ ବୋଲି ସ୍ବାମୀ ପ୍ରକାଶ କରିଛନ୍ତି।

Share