ଇନ୍ଦି(କର୍ନାଟକ),୪ା୫ : କର୍ନାଟକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ଭାଜପାର ୪୦ ପ୍ରତିଶତ କମିଶନ ସରକାର ଚାଲିଛି। ଭାଜପା ସରକାର ରାଜ୍ୟକୁ ଲୁଟୁଥିବାବେଳେ ନିଜକୁ ସର୍ବବ୍ୟାପୀ ଓ ସର୍ବଜ୍ଞ ନେତା କହୁଥିବା ମୋଦି ଦେଖିପାରୁ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ବିକାଶ ପୁରୁଷ ମୋଦି ଏବେ ବି କର୍ନାଟକକୁ ବିକଶିତ ରାଜ୍ୟରେ ପରିଣତ କରିବା ତାଙ୍କର ସ୍ବପ୍ନ ଓ ଏହାକୁ ଦେଶର ବିକାଶ ମଡେଲ ଭାବେ ଉପସ୍ଥାପନ କରିବାକୁ ଚାହାନ୍ତି ବୋଲି କ’ଣ ପାଇଁ କହୁଛନ୍ତି ତାହା ଜାଣିବାକୁ ଚାହାନ୍ତି ବୋଲି ବିଜୟପୁରା ଜିଲାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରିୟଙ୍କା କହିଥିଲେ। ଯଦି ତୁମେ ସର୍ବଶକ୍ତିମାନ, ସର୍ବବ୍ୟାପୀ ଓ ସର୍ବଜ୍ଞ ତେବେ ନିଜ ସ୍ବପ୍ନ ପୂରଣ କରିପାରୁନ କାହିଁକି ବୋଲି ପ୍ରିୟଙ୍କା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ମୋଦି ସ୍ବପ୍ନ ଦେଖିବାରେ ବ୍ୟସ୍ତ ରହି କର୍ନାଟକରେ ଲୁଟ୍ ପ୍ରତି ଆଖି ବୁଜିଦେଇଥିବା କଂଗ୍ରେସ ନେତ୍ରୀ କହିଛନ୍ତି।