Categories: ଜାତୀୟ

୧୭ରେ ମୋଦି-ହାସିନା ଆଲୋଚନା

ନୂଆଦିଲ୍ଲୀ, ୧୬ା୧୨: ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତା ଗୁରୁବାର ଦ୍ୱିପାକ୍ଷିକ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରତିପକ୍ଷ ଶେଖ ହାସିନାଙ୍କ ମଧ୍ୟରେ ଏହି ଭର୍ଚୁଆଲ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇପାରେ। ଆସନ୍ତା ବର୍ଷ ଶେଷ ହେବାକୁ ଥିବା ଏକ ତେଲ ପାଇପଲାଇନ ପ୍ରକଳ୍ପ, ୩ଟି ସୀମାପାର ରେଳ ସଂଯୋଗ ନିର୍ମାଣ ସମେତ ଅନ୍ୟ ଦ୍ୱିପାକ୍ଷିକ ପ୍ରକଳ୍ପଗୁଡିକର ଅଗ୍ରଗତିର ସମୀକ୍ଷା କରାଯାଇପାରେ। ଏହା ପୂର୍ବରୁ ବାଂଲାଦେଶ ବହିର୍ବ୍ୟାପାର ସଚିବ ମାସୁଦ ବିନ୍‌ ମୋମେନ ନୂଆଦିଲ୍ଲୀ ଗସ୍ତ କରି ଭାରତର ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲାଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ନାଗରିକତ୍ୱ ସଂଶୋଧନ ଆକ୍ଟ (ସିଏଏ)କୁ ନେଇ ଦୁଇ ଦେଶ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବୈଠକ ପରେ ପୁଣି ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିପାରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ବାଂଲାଦେଶ ସ୍ବାଧୀନ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କୁ ଅତିଥି ଭାବେ ଢାକା ଆମନ୍ତ୍ରଣ କରିଛି। ଗତ ମାର୍ଚ୍ଚରେ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ମୋଦିଙ୍କ ବାଂଲାଦେଶ ଗସ୍ତ କାର୍ଯ୍ୟକ୍ରମ ଥିଲେ ମଧ୍ୟ କୋଭିଡ୍‌ ମହାମାରୀ ଯୋଗୁ ତାହାକୁ ବାତିଲ କରାଯାଇଥିଲା। ଗତ ଜୁଲାଇରେ ଭାରତ ବାଂଲାଦେଶକୁ ୧୦ଟି ରେଳ ଇଞ୍ଜିନ ଯୋଗାଇ ଦେଇଥିଲା। ଏହାପୂର୍ବରୁ ପ୍ରଥମ କଣ୍ଟେନର ଟ୍ରେନ୍‌ ବାଂଲାଦେଶରେ ପହଞ୍ଚିଥିଲା ଏବଂ ଚାଟ୍ଟୋଗ୍ରାମ୍‌ ବନ୍ଦର ଦେଇ କୋଲକାତାରୁ ତ୍ରିପୁରାକୁ ପଠାଯାଇଥିଲା। ଗତ ବର୍ଷ ଅକ୍ଟୋବରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ।

Share