ନୂଆଦିଲ୍ଲୀ,୨୩।୪: କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ପହଲଗାମ୍ ଜିଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ପ୍ରାକୃତିକ ଶୋଭାରାଜି ପାଇଁ ‘ମିନି ସୁଇଜରଲାଣ୍ଡ’ ଭାବେ ପରିଚିତ ଦକ୍ଷିଣ କଶ୍ମୀରର ମୁଖ୍ୟ ପର୍ଯ୍ୟଟନସ୍ଥଳ ବୈସରନ୍ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍ଇଟି) ସଦସ୍ୟମାନେ ଅନୂ୍ୟନ ୫୦ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏହି ଅତର୍କିତ ଆକ୍ରମଣରେ ଜଣେ ଓଡ଼ିଆ ଓ ୨ ଜଣ ବିଦେଶୀଙ୍କ ସମେତ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଆହତଙ୍କୁ ଉଦ୍ଧାର କରିବା ପାଇଁ ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାଉଦି ଗସ୍ତ ଛାଡ଼ି ଭାରତ ଫେରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରେ ସଦ୍ୟତମ ପରିସ୍ଥିତି ସମ୍ପର୍କରେ ଏକ ବୈଠକ କରିଛନ୍ତି। ଏଥିରେ NSA ଅଜିତ ଡୋଭାଲ ଉପସ୍ଥିତ ଥିଲେ।
ଶାହା ଦିଲ୍ଲୀରେ ସୁରକ୍ଷା ଏଜେନ୍ସିଗୁଡ଼ିକର ମୁଖ୍ୟମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ ପରେ ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗର ଯାଇଛନ୍ତି। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ଆକ୍ରମଣକାରୀଙ୍କୁ ପଶୁଙ୍କ ସହ ତୁଳନା କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଭାରତ ଗସ୍ତରେ ଥିବାବେଳେ ଏହି ଆକ୍ରମଣ ଯୋଜନାବଦ୍ଧ ଭାବେ ଘଟାଯାଇ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତିକୁ ଦର୍ଶାଇବା ପାଇଁ ଉଦ୍ୟମ କରାଯାଇଥିବା କୁହାଯାଉଛି।


