ଓଡ଼ିଶାରେ ମୋଦି: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କରିବେ ପ୍ରଚାର

ଭୁବନେଶ୍ୱର,୬।୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଭାଜପା କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତ ଆରମ୍ଭ କରିଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ରବିବାର ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତ୍ରି ପ୍ରାୟ ୧୦ଟା ୪୫ ମିନିଟ୍‌ରେ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ଛନ୍ତି। ମୋଦିଙ୍କୁ ସ୍ବାଗତ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟର ବହୁ ଆଗଧାଡ଼ିର ନେତା ଓ ଶତାଧିକ କର୍ମୀ ବିମାନବନ୍ଦରଠାରେ ଉପସ୍ଥିତ ଥିଲେ। ମୋଦିଙ୍କୁ ଭବ୍ୟ ସ୍ବାଗତ ସହ ବିଭିନ୍ନ ପ୍ରକାର ନାଚ, ଗୀତର ଆୟୋଜନ ହୋଇଥିଲା। ଶତାଧିକ ସମର୍ଥକ ମଧ୍ୟ ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ଖୁସିରେ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମୋଦି ମୋଦି ନାରାରେ ବିମାନବନ୍ଦର ପ୍ରକମ୍ପିତ ହୋଇଉଠିଥିଲା। ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ସିଧାସଳଖ ରାଜଭବନ ଅଭିମୁଖେ ଗସ୍ତ କରିଥିବାବେଳେ ସ୍ବାଗତ ଜଣାଇବାକୁ ରାସ୍ତାପାର୍ଶ୍ୱରେ ବହୁ କର୍ମୀ ଏବଂ ସାଧାରଣଲୋକ ଅପେକ୍ଷା କରି ଠିଆ ହୋଇଥିଲେ। ମୋଦି ମଧ୍ୟ ଗାଡ଼ି ଭିତରେ ବସି କର୍ମୀ ଏବଂ ସାଧାରଣ ଜନତାଙ୍କୁ ଭାଜପାର ନିର୍ବାଚନୀ ଚିହ୍ନ ଥିବା ସିମ୍ବଲ ଲାଇଟ୍‌ ଦେଖାଇ ଖୁସି ବ୍ୟକ୍ତ କରିଥିଲେ। ମୋଦି ସୋମବାର ପୂର୍ବାହ୍ନ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଏବଂ ମଧ୍ୟାହ୍ନ ୧୨.୩୦ରେ ନବରଙ୍ଗପୁରର ଚିକିଲି ଛକଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଅନ୍ୟପଟେ ଆସନ୍ତା ୮ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡ଼ା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୨ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ଦଳର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍ତି।

Share