Categories: ଜାତୀୟ

ମୋଦି ପୁଣି ଲୋକପ୍ରିୟ ତାଲିକାର ଶୀର୍ଷରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଶୀର୍ଷରେ ରହିଛନ୍ତି। ମର୍ନିଂ କନ୍ସଲ୍ଟ ଦ୍ୱାରା ପ୍ରକାଶିତ ଗ୍ଲୋବାଲ ଲିଡର ଆପ୍ରୁଭାଲ୍‌ ମୂଲ୍ୟାୟନରେ ମୋଦି ୭୦ ପ୍ରତିଶତ ଆପ୍ରୁଭାଲ ସହ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମୋଦି ଏଥିରେ ସର୍ବାଧିକ ରେଟିଂ ପାଇଛନ୍ତି। ମର୍ନିଂ କନ୍ସଲ୍ଟ ୨୦୧୯ରେ ଏନେଇ ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା।

ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ୬୬ ପ୍ରତିଶତ ରେଟିଂ ସହ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହା ପରେ ୫୮ ପ୍ରତିଶତ ନମ୍ବର ସହ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ତୃତୀୟ ସ୍ଥାନରେ ଅଛନ୍ତି, ଚତୁର୍ଥ ସ୍ଥାନରେ ଥିବା ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ୫୪ ପ୍ରତିଶତ ଅଙ୍କ ହାସଲ କରିଛନ୍ତି। ସେହିପରି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ୪୭ ପ୍ରତିଶତ ଆପ୍ରୁଭାଲ୍‌ ସହ ପଞ୍ଚମ ସ୍ଥାନରେ ଅଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୪ ପ୍ରତିଶତ ନମ୍ବର ସହ ଷଷ୍ଠ ସ୍ଥାନରେ ଅଛନ୍ତି। ୪୩ ପ୍ରତିଶତ ଅଙ୍କ ସହ କାନାଡାର ଜଷ୍ଟିନ ଟ୍ରୁଡୋ ସପ୍ତମ ସ୍ଥାନରେ ଥିବାବେଳେ ବ୍ରିଟେନର ବୋରିସ ଜନସନ ୪୦ ପ୍ରତିଶତ ସହ ଦଶମ ସ୍ଥାନରେ ରହିଛନ୍ତି।

ମର୍ନିଂ କନ୍ସଲ୍ଟ ହେଉଛି ଏକ ପଲ୍ଟିକାଲ ଇଣ୍ଟେଲଜେନ୍ସ ରେଟିଂ କମ୍ପାନୀ। ଏହା ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ, ବ୍ରିଟେନ ଏବଂ ଆମେରିକାର ନେତାଙ୍କ ପାଇଁ ରେଟିଂକୁ ଟ୍ରାକ କରିଥାଏ। ସାପ୍ତାହିକ ଭିତ୍ତିରେ, କମ୍ପାନୀ ୧୩ ଟି ଦେଶର ତଥ୍ୟକୁ ଅପଡେଟ କରିଥାଏ।

Share