ଜଳବାୟୁ ସମିଟ୍‌କୁ ମୋଦି ଆମନ୍ତ୍ରିତ

ଓ୍ବାଶିଂଟନ,୨୮।୩: ଆମେରିକା ଆସନ୍ତା ମାସରେ ଜଳବାୟୁ ଉପରେ ଏକ ଭର୍ଚୁଆଲ ସମିଟ୍‌ର ଆୟୋଜନ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ସମିଟ୍‌ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୪୦ ବିଶ୍ୱ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ଏପ୍ରିଲ୍‌ ୨୨ ଧରିତ୍ରୀ ଦିବସରୁ ଏହି ଦୁଇଦିନିଆ ସମିଟ୍‌ ଆରମ୍ଭ ହେବ। ରାଷ୍ଟ୍ରପତି ବାଇଡେନ୍‌ ବିଶ୍ୱ ନେତାମାନଙ୍କର ଏହି ସମିଟ୍‌କୁ ହୋଷ୍ଟ କରିବା ସହ ୨୦୩୦ ସୁଦ୍ଧା ଆମେରିକାର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଲକ୍ଷ୍ୟ ସମ୍ପର୍କରେ ଉପସ୍ଥାପନ କରିବେ। ଅନ୍ୟମାନଙ୍କ ମଧ୍ୟରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା, ବ୍ରାଜିଲ ରାଷ୍ଟ୍ରପତି ଜାଏର୍‌ ବୋଲ୍‌ସୋନାରୋ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁ, ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

Share