Advertisement

ଦେଶର ସମ୍ପତ୍ତି ବିକ୍ରି କରି ମୋଦି ଜୀ ପଳାଇବେ: ଖାର୍ଗେଙ୍କ କଟାକ୍ଷ

ଅହମଦାବାଦ,୯।୪: କଂଗ୍ରେସ ଦଳର ୮୪ତମ ଅଧିବେଶନ ଗୁଜରାଟର ଅହମଦାବାଦରେ ଚାଲିଛି। ଏହି ଅବସରରେ ସାରା ଦେଶରୁ ୧୭୦୦ରୁ ଅଧିକ କଂଗ୍ରେସ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଅଧିବେଶନର ଦ୍ୱିତୀୟ ଦିନରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଖାର୍ଗେ ଲୋକସଭା ବାଚସ୍ପତିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ସଦ୍ୟ ସମାପ୍ତ ସଂସଦର ବଜେଟ ଅଧିବେଶନରେ ସରକାର ମନମୁଖୀ କାର୍ଯ୍ୟ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ କହିବାକୁ ଦିଆଯାଇନାହିଁ, ଯାହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ।

ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାରଙ୍କୁ କଡା ଟାର୍ଗେଟ କରି କହିନ୍ତି, ସକାଳ ୫ଟା ପର୍ଯ୍ୟନ୍ତ ସଂସଦ ଅଧିବେଶନ ଚାଲିଥିଲା, କିନ୍ତୁ ସରକାରଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସମୟ ନ ଥିଲା। ଏହା ଦର୍ଶାଉଛି, ଏହି ଲୋକମାନେ ଗଣତନ୍ତ୍ରକୁ କେତେ ଗମ୍ଭୀରତାର ସହିତ ନିଅନ୍ତି।ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲଗାଇଥିଲା, କିନ୍ତୁ ଏହାକୁ ସଂସଦରେ ଆଲୋଚନା କରିବାକୁ ଦିଆଯାଇ ନଥିଲା।

ମଲ୍ଲିକାର୍ଜୁନ ଖାର୍ଗେ ଆହୁରି ମଧ୍ୟ କହିଛନ୍ତି, ଦେଶର ସରକାରୀ ସମ୍ପତ୍ତି ଧୀରେ ଧୀରେ ଘରୋଇ କମ୍ପାନୀଗୁଡ଼ିକୁ ବିକ୍ରି କରାଯାଉଛି। ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ଏପରି ଏକ ଦିନ ଆସିବ ଯେତେବେଳେ ମୋଦି ସରକାର ଏବଂ ନିଜେ ମୋଦି ଜୀ ଦେଶର ସମ୍ପତ୍ତି ବିକ୍ରି କରି ଚାଲିଯିବେ। ମୁଁ ଏହା ସ୍ପଷ୍ଟ ଭାବରେ କହୁଛି। ବିମାନବନ୍ଦର ହେଉ, ଖଣି ହେଉ, ମିଡିଆ ହାଉସ ହେଉ କିମ୍ବା ଟେଲିକମ ହେଉ, ଏହି ସରକାର ଏହାକୁ ଏହାର ଶିଳ୍ପପତି ବନ୍ଧୁମାନଙ୍କୁ ଦେଉଛି। ଏହା ଆମର ଜାତୀୟ ସୁରକ୍ଷା ପାଇଁ ମଧ୍ୟ ବିପଦ। ନିର୍ବାଚନ ସଂସ୍ଥାଗୁଡ଼ିକ ମଧ୍ୟ ସେମାନଙ୍କ ନିୟନ୍ତ୍ରଣରେ ଅଛନ୍ତି। ନିର୍ବାଚନରେ ଘୋଟାଲା ହେଉଛି। ବିଶ୍ୱର ବିକଶିତ ଦେଶଗୁଡ଼ିକ ଇଭିଏମ ପରିତ୍ୟାଗ କରି ବାଲଟ ପେପର୍‌ ଆଡକୁ ମୁହାଁଇଛନ୍ତି। କିନ୍ତୁ ଆମେ ଇଭିଏମ ଉପରେ ଚଳୁଛୁ। ଏହା ସବୁ ଠକେଇ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share