ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ମୋଦି-ଜିନପିଙ୍ଗ ସହମତ

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପୂର୍ବ ଲଦାଖର ଲାଇନ ଅଫ ଆକ୍‌ଚୁଆ କଣ୍ଟ୍ରୋଲ (ଏଲଏସି) ସଂଘର୍ଷ ପଏଣ୍ଟରୁ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବାକୁ ସହମତ ହୋଇଛନ୍ତି। ଜୋହାନ୍ସବର୍ଗରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଦୁହେଁ ସାକ୍ଷାତ ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ କହିଛନ୍ତି ଯେ, ଚାଇନାକୁ ଏଲଏସସିକୁ ସମ୍ମାନ କରିବାକୁ ପଡ଼ିବ। ବ୍ରିକ୍ସ ସମ୍ମିଳନୀ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ବିଳମ୍ବିତ ରାତିରେ ଗ୍ରୀସ ଅଭିମୁଖେ ଯାତ୍ରା କରିଥିଲେ। ସେ ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋଟାକିସଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତି ବିଷୟରେ ଆଲୋଚନା କରିବେ।
ମୋଦି-ଜିନପିଙ୍ଗ ବୈଠକକ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରା କହିଛନ୍ତି ଯେ, ସୀମାରେ ଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଦୁଇ ନେତାଙ୍କ ମଧ୍ୟରେ ଚୁକ୍ତି ହୋଇଛି। ସି ଜିନପିଙ୍ଗଙ୍କ ସମ୍ମୁଖରେ ଏଲଏସିର ପଶ୍ଚିମ ସେକ୍ଟରରେ ବିବାଦୀୟ ପ୍ରସଙ୍ଗରେ ଭାରତର ଚିନ୍ତାକୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ, ସମ୍ପର୍କକୁ ସୱାଭାବିକ କରିବା ପାଇଁ ଏଲଏସିର ସମ୍ମାନ ଏବଂ ଶାନ୍ତି ଆବଶ୍ୟକ। ମେ ୨୦୨୦ରେ ଆରମ୍ଭ ହୋଇଥିବା ପୂର୍ବ ଲଦାଖ ସୀମା ବିବାଦ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ଗଭୀର ହୋଇଥିଲା।

Share