ନୂଆଦିଲ୍ଲୀ,୨୫।୪: ସାରା ଦେଶରେ ସମ୍ପତ୍ତି ଅଧିକାର ଓ ପ୍ରମାଣପତ୍ର ଯୋଗୁ ବିଭିନ୍ନ ସମୟରେ ଅନେକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପତ୍ତି ଅଧିକାର ପାଇଁ ‘ସ୍ବାମିତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏକ ଭିଡିଓ କନ୍ଫରେନ୍ସ ଜରିଆରେ ମୋଦି ଏହି ଯୋଜନାର ଶୁଭାରମ୍ଭ କରି କହିଥିଲେ, ଉକ୍ତ ଯୋଜନା ବଳରେ ସାରା ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ ଲୋକମାନଙ୍କୁ ସେମାନଙ୍କ ସମ୍ପତ୍ତି ବା ଜମିର ପ୍ରମାଣପତ୍ର ବର୍ତ୍ତମାନ ସମୟରେ ଡିଜିଟାଲ କାର୍ଡ ଜରିଆରେ ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିକୁ ଏକ ମାଲିକାନା ପତ୍ର ପ୍ରଦାନ କରିବେ। ଫଳରେ ଏହି ଯୋଜନା ସାରା ଦେଶରେ ପ୍ରଚଳନ ହେବା ଦ୍ୱାରା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଆଉ କୌଣସି ସମସ୍ୟା ଓ ଠକେଇର ସାମ୍ନା କରିବାକୁ ପଡିବ ନାହିଁ ।
ସେ ଆହୁରି କହିଛନ୍ତି , ଆମକୁ କରୋନା ଭଳି ମହାମାରୀ ସମୟରେ ସାଙ୍ଗ ହୋଇ ମିଳିତ ଭାବରେ କାମ କରିବାକୁ ପଡିବ। ଦେଶରେ ଅଧିକରୁ ଅଧିକ ଲୋକଙ୍କୁକୁ ଟିକାକରଣ କରିବା ପାଇଁ ମେ ୧ ରୁ ସରକାରଙ୍କ ଦ୍ୱାରା ଦେଶରେ ଟିକାକରଣର କ୍ଷମତା ଓ ନିୟମାବଳୀକୁ ମଧ୍ୟ ବଢାଯାଇଛି। ଏହି ସମୟରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଉଥିବା ଗାଇଡ୍ଲାଇନକୁ ପ୍ରତ୍ୟେକ ଲୋକ ମାନିବା ଉଚିତ। ବର୍ତ୍ତମାନ ସମୟରେ ଆମ ପାଖରେ କରୋନାଠୁ ମୁକ୍ତି ପାଇବା ପାଇଁ କୌଣସି ବ୍ୟବସ୍ଥା ଉପଲବ୍ଧ ନ ଥିବାରୁ ସୁରକ୍ଷା ପାଇଁ କେବଳ କୋଭିଡ ଟିକା ହିଁ ଉପଲବ୍ଧ ରହିଛି। ଏହାର ୨ ଡୋଜ ଆମର ଜୀବନ ପାଇଁ ମହତ୍ତ୍ୱ ରଖିଛି। ଏହାକୁ କିପରି ଦେଶବାସୀ ସହଜରେ ପାଇପାରିବେ ସେଥିପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଯୋଜନାରେ ୪.୯ ଲକ୍ଷ ଲୋକଙ୍କୁ ଡିଜିଟାଲ ପ୍ରମାଣପତ୍ର ବିଭିନ୍ନ ରାଜ୍ୟର ଲୋକଙ୍କୁ ପ୍ରଦାନ କରାଯାଇଛି। ଖୁବ୍ଶୀଘ୍ର ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ପ୍ରେସ୍ ବିବୃତିରେ କୁହାଯାଇଛି।