Categories: ଜାତୀୟ

‘କୋଭିଡ୍‌ ବେଳେ ଚାଷୀଙ୍କୁ ରାସ୍ତାରେ ଛାଡ଼ିଥିଲେ ମୋଦି’

କିଚ୍ଛା (ଉତ୍ତରାଖଣ୍ଡ),୬।୨ : କୋଭିଡ୍‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହଜାର ହଜାର ଚାଷୀଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ କାଳ ରାସ୍ତାରେ ଛାଡ଼ିଥିଲେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଭାରତରେ ଏବେ ପ୍ରଧାନମନ୍ତ୍ରୀ ନୁହନ୍ତି, ଜଣେ ରାଜା ରହିଛନ୍ତି। ତାଙ୍କ ନିଷ୍ପତ୍ତିକୁ ଜନସାଧାରଣ ନୀରବରେ ଗ୍ରହଣ କରିନେବେ ବୋଲି ସେ ବିଶ୍ୱାସ କରୁଥିବା ରାହୁଲ କହିଛନ୍ତି। ଉତ୍ତରାଖଣ୍ଡରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଥିଲେ, କଂଗ୍ରେସ ଏଭଳି ସରକାର ଦେବାକୁ ଚାହୁଁଛି, ଯାହା କୃଷକ, ଯୁବବର୍ଗ ଓ ଗରିବଙ୍କ ସହ ମିଶି କାର୍ଯ୍ୟ କରିବ। ମନମୋହନ ସିଂଙ୍କ ନେତୃତ୍ୱାଧୀନ ଉପା ସରକାର ସମୟରେ ଚାଷୀମାନଙ୍କ ଅନୁରୋଧ କ୍ରମେ ୧୦ ଦିନ ମଧ୍ୟରେ ୭୦ ହଜାର କୋଟି ଟଙ୍କାର କୃଷିଋଣ ଛାଡ଼ କରାଯାଇଥିଲା। କଂଗ୍ରେସ ଚାଷୀମାନଙ୍କ ପାଇଁ କଦାପି ଦ୍ୱାର ବନ୍ଦ କରିନାହିଁ। ଦେଶରେ ସମ୍ପତ୍ତି ପାର୍ଥକ୍ୟକୁ ନେଇ କଂଗ୍ରେସ ନେତା ଦୁଇଟି ଭାରତ କଥା ଦୋହରଇଛନ୍ତି। ଗୋଟିଏ ଭାରତରେ ଧନୀ ଶିଳ୍ପପତି, ପଞ୍ଚତାରକା ହୋଟେଲ ଏବଂ ମର୍ସିଡିସ୍‌ କାର ଥିବାବେଳେ ଅନ୍ୟ ଭାରତରେ ଗରିବ, ବେରୋଜଗାରୀ ଓ ମୁଦ୍ରାସ୍ଫୀତି ବଢ଼ିଚାଲିଛି ବୋଲି ସେ କହିଛନ୍ତି।

Share