Categories: ଜାତୀୟ

କେନ୍ଦ୍ର କ୍ୟାବିନେଟର ଐତିହାସିକ ନିଷ୍ପତି

ନୂଆଦିଲ୍ଲୀ,୧୫।୧୨: ସେମିକଣ୍ଡକ୍ଟର ଏବଂ ଡିସ୍‌ପ୍ଲେ ବୋର୍ଡର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପିଏଲ୍‌ଆଇ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି , ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦେଶରେ ସେମିକଣ୍ଡକ୍ଟର ଚିପ୍ସର ସମ୍ପୂର୍ଣ୍ଣ ଡିଜାଇନ, ଫାବ୍ରିକେସନ୍‌, ପ୍ୟାକେଜିଂ, ପରୀକ୍ଷଣ ଏବଂ ବିକାଶ ପାଇଁ ଏକ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ରେ ୭୬ ହଜାର କୋଟି ଟଙ୍କା ଅନୁମୋଦନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି , ଭାରତକୁ ଏହାର ଗ୍ଲୋବାଲ ହବ କରିବା ପାଇଁ ୨.୩ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ଦିଆଯିବ। ଏଥିପାଇଁ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ’ ଆରମ୍ଭ ହେବ।
ଏହି ଯୋଜନା ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ସେମିକଣ୍ଡକ୍ଟର ପାଇଁ ପିଏଲ୍‌ଆଇ (production-linked incentive scheme) ଯୋଜନାରେ ୭୬,୦୦୦ କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଦେଶକୁ ଏକ ଇଲେକ୍ଟ୍ରୋନିକ ହବ ଭାବରେ ବିକଶିତ କରିବାକୁ ଚାହୁଁଛନ୍ତି, କାରଣ ମାଇକ୍ରୋଚିପ୍ସ ଅଭାବ ଶିଳ୍ପ ଉତ୍ପାଦନକୁ ସିଧାସଳଖ ପ୍ରଭାବିତ କରିଥାଏ। ସେମିକଣ୍ଡକ୍ଟରଗୁଡିକ ସ୍ମାର୍ଟଫୋନ, ଡାଟା ସେଣ୍ଟର୍‌, କମ୍ପ୍ୟୁଟର, ଲାପ୍‌ଟପ, ଟାବଲେଟ, ସ୍ମାର୍ଟ ଡିଭାଇସ, ଯାନ, ଘର ଇଲେକ୍ଟ୍ରୋନିକ୍ସ, ଜୀବନ ରକ୍ଷାକାରୀ ଉପକରଣ, ଏଟିଏମ ଇତ୍ୟାଦିରେ ବ୍ୟବହୃତ ହୁଏ।

Share