ଫ୍ରାନ୍ସରେ ବଡ଼ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ/ପ୍ୟାରିସ୍‌: ସିଙ୍ଗାପୁର ପରେ ବର୍ତ୍ତମାନ ଫ୍ରାନ୍ସ ମଧ୍ୟ ଭାରତର ୟୁନିଫାଏଡ ପେମେଣ୍ଟ ସିଷ୍ଟମ (ୟୁପିଆଇ) ଲାଗୁ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ସମୟରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ୟୁପିଆଇ ବ୍ୟବହାର ଉପରେ ଭାରତ ଏବଂ ଫ୍ରାନ୍ସ ଏକମତ ହୋଇଛନ୍ତି। ଏ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଛି। ଆଗାମୀ ଦିନରେ ପ୍ରସିଦ୍ଧ ଏଫିସ୍‌ ଟାୱାରରୁ ୟୁପିଆଇ ଆରମ୍ଭ ହେବ। ଏହାର ଅର୍ଥ ହେଉଛି ବର୍ତ୍ତମାନ ଭାରତରୁ ଫ୍ରାନ୍ସକୁ ଯାଉଥିବା ପର୍ଯ୍ୟଟକମାନେ ଯେକୌଣସି ଜିନିଷ କିଣିବା ପାଇଁ ଟଙ୍କା ଦ୍ୱାରା ଲେଣଦେଣ କରିପାରିବେ। ଏହା ବ୍ୟତୀତ ଫ୍ରାନ୍ସ ମଧ୍ୟ ଭାରତୀୟ ଛାତ୍ରମାନଙ୍କ ପାଇଁ ଭିସା ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛି।
ସୂଚନାଯୋଗ୍ୟ, ୨୦୨୨ରେ, ୟୁପିଆଇ ସେବା ଯୋଗାଉଥିବା ପ୍ରମୁଖ ସଂସ୍ଥା ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ଫ୍ରାନ୍ସର ଦ୍ରୁତ ଏବଂ ସୁରକ୍ଷିତ ଅନ୍‌ଲାଇନ ପେମେଣ୍ଟ ସିଷ୍ଟମ ‘ଲାଇରା’ ସହିତ ଚୁକ୍ତି କରିଥିଲା। ସେବେଠାରୁ ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭକୁ ଅପେକ୍ଷା କରାଯାଇଥିଲା।

Share