ଜି-୭ ନେତାଙ୍କୁ ଭେଟିଲେ ମୋଦି

ବର୍ଲିନ, ୨୮ା୬: ଜର୍ମାନୀର ଏଲ୍‌ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ରବିବାରଠାରୁ ଜର୍ମାନୀ ଗସ୍ତରେ ଥିବା ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ଭେଟିଛନ୍ତି। ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲଜ୍‌ ଏଲ୍‌ମାଉର ସ୍କୋଲସ୍‌ଠାରେ ମୋଦିଙ୍କୁ ସ୍ବାଗତ କରିଥିଲେ। ଜଳବାୟୁ ସମ୍ବନ୍ଧିତ ଜି-୭ ସମିଟ୍‌ର ଏକ ଅଧିବେଶନରେ ଯୋଗଦେଇ ମୋଦି ସ୍ବଚ୍ଛ ଏବଂ ସବୁଜ ଶକ୍ତି ବ୍ୟବହାର ସହ ସ୍ଥାୟୀ ତଥା ଉନ୍ନତମାନର ଜୀବନଶୈଳୀ ଓ ବୈଶ୍ୱିକ ବିକାଶ ଦିଗରେ ଭାରତର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଗତ ମେ’ରେ ଜାପାନରେ ହୋଇଥିବା କ୍ୱାଡ୍‌ ସମିଟ୍‌ ପରଠାରୁ ଏହା ମୋଦି-ବାଇଡେନ୍‌ଙ୍କ ପ୍ରଥମ ସାକ୍ଷାତ। ଆସନ୍ତା ମାସରେ ଭାରତ, ଇସ୍ରାଏଲ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଆମେରିକା ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ଆଇ୨ଇ୨ ସମ୍ମିଳନୀ ଅନୁଷ୍ଠିତ ହେବ।

Share