ଅହମ୍ମଦାବାଦ,୨୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ପ୍ରଚାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆମ ଆଦମୀ ପାର୍ଟିର ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଚମହଲ ଅଞ୍ଚଳରେ ପହଞ୍ଚିଥିଲେ। ଏହି ସମୟରେ ଭାଜପା କର୍ମୀମାନେ ମଧ୍ୟ ତାଙ୍କ ରୋଡ ଶୋ’ରେ ପହଞ୍ଚି ମୋଦି-ମୋଦି ଏବଂ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇଥିଲେ।
କେଜ୍ରିୱାଲ ପଞ୍ଚମହଲର ହାଲୋଲ ଅଞ୍ଚଳରେ ଏକ ରୋଡ ଶୋ’ କରୁଥିବା ସମୟରେ ଏହି ଘଟଣା ଘଟିଥିଲା।
ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ଯେଉଁମାନେ ଗୁଣ୍ଡାଗର୍ଦ୍ଦି କରିବାକୁ ଚାହୁଁଛନ୍ତି ସେମାନେ ଅନ୍ୟ ଦଳକୁ ଯିବା ଉଚିତ୍। ଅନ୍ୟପକ୍ଷରେ, ଯେଉଁମାନେ ନିଜ ଅଞ୍ଚଳରେ ଭଲ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବାକୁ ଚାହୁଁଛନ୍ତି, ସେମାନେ ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ଉଚିତ୍। ବିଧାନସଭା ନିର୍ବାଚନ ଜିତିବା ପରେ ସେ ଗୁଜରାଟକୁ ଚମକାଇ ଦେବେ।
ସୂଚନାଯୋଗ୍ୟ, ଗୁଜରାଟ ବିଧାନସଭାର ୧୮୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୫ ଡିସେମ୍ବରରେ ହେବାକୁ ଯାଉଛି। ଡିସେମ୍ବର ୮ ଫଳାଫଳ ଆସିବ।