Categories: ଜାତୀୟ

ଲାଲଜୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି: ଉତ୍ତପ୍ରଦେଶରେ ୩ଦିନ ଯାଏଁ ପାଳନ ହେବ ରାଷ୍ଟ୍ରୀୟ ଶୋକ

ଭୋପାଳ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ତଥା ଭାଜପାର ବରିଷ୍ଠ ନେତା ଲାଲଜୀ ଟଣ୍ଡନଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ସକାଳେ ଏନେଇ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ ନିଧନ ଖବର ଶୁଣି ବଡ଼ ବଡ଼ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏନେଇ ମୋଦି ଟୁଇଟ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ସେ ଟୁଇଟରେ ଲେଖିଛନ୍ତି, ସାମାଜିକ ସେବା ପାଇଁ ଲାଲଜୀ ସର୍ବଦା ସ୍ମରଣୀୟ ହୋଇ ରହିବେ। ଉତ୍ତରପ୍ରଦେଶରେ ଭାଜପାକୁ ମଜବୁତ କରିବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ତାଙ୍କର ଆଇନଗତ ସମ୍ବନ୍ଧରେ ଭଲ ଜ୍ଞାନ ଥିଲା ଏବଂ ସେ ଅଟଳଜୀଙ୍କ ସହ ଦୀର୍ଘ ସମୟ ବିତାଇଥିଲେ ବୋଲି ମୋଦି କହିଛନ୍ତି।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବିଏସ୍‌ପି ମୁଖ୍ୟ ମାୟାବତୀ ମଧ୍ୟ ଲାଲଜୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ, ଲାଲଜୀ ଦୀର୍ଘ ସମୟ ଧରି ରୋଗାଗ୍ରସ୍ତ ଥିଲେ। ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ କିଡନୀ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କୁ ଜୁନ ୧୧ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତ ବର୍ଷ ଜୁଲାଇରେ ସେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ଗତ ମାସରେ ତାଙ୍କୁ ସ୍ବାସ୍ଥ୍ୟାବସ୍ଥା ଅଧିକ ତାଙ୍କର କାର୍ଯ୍ୟଭାରକୁ ଆନନ୍ଦୀ ବେନ ପଟେଲଙ୍କୁ ଦିଆଯାଇଥିଲା। ଅପରପକ୍ଷେ ଲାଲଜୀଙ୍କ ଦେହାନ୍ତ ପରେ ଉତ୍ତରପ୍ରଦେଶରେ ୩ ଦିନ ଯାଏଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି।

Share