Categories: ଜାତୀୟ

କଂଗ୍ରେସ ଏମପିଙ୍କୁ ପାଣି ଗ୍ଲାସ ଯାଚିଲେ ମୋଦି, ଆଉ ତା’ ପରେ…

ନୂଆଦିଲ୍ଲୀ,୨।୭: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ ନିଜ ପ୍ରତିତ୍ତ୍ୟୁର ରଖିଥିଲେ। ମୋଦିଙ୍କ ଅଭିଭାଷଣରେ ଏପରି ଏକ ସମୟ ଆସିଥିଲା ଯେତେବେଳେ କଂଗ୍ରେସ ନେତା ତଥା ଗୃହର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ସେମାନଙ୍କ ଦଳର ଏମପି ତଥା ଇଣ୍ଡିଆ ଆଲାଇନ୍ସକୁ ସଂସଦର ଓ୍ବେଲକୁ ଯିବାକୁ ସଙ୍କେତ ଦେଇଥିଲେ। ତେବେ ବିରୋଧୀ ଏମପିମାନେ ନିଜ ଆସନରୁ ଉଠି ମଝିକୁ ଯିବା ପୂର୍ବରୁ ବାଚସ୍ପତି ଓମ ବିର୍ଲା ରାହୁଲଙ୍କୁ ଏପରି ନ କରିବାକୁ ତାଗିଦ୍‌ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ଦେବା ସମୟରେ ବିରୋଧୀ ଦଳର ନେତା ରାହୁଲ କିଛି କହିବାକୁ ଚାହୁଁଥିଲେ। ରାହୁଲ ବୋଧହୁଏ ମଣିପୁର ପ୍ରସଙ୍ଗରେ କିଛି କହିବାକୁ ଚାହୁଁଥିଲେ। କିନ୍ତୁ ମୋଦି କହିବା ଆରମ୍ଭ କରି ଦେଇଥିବାରୁ ରାହୁଲଙ୍କୁ ଆଉ କହିବାକୁ ସୁଯୋଗ ମିଳି ନ ଥିଲା। ଯେତେବେଳେ ସ୍ପିକର ରାହୁଲଙ୍କୁ କହିବାକୁ ସୁଯୋଗ ଦେଇ ନ ଥିଲେ, ସେତେବେଳେ ରାହୁଲ ତାଙ୍କ ଦଳର ଏମପିଙ୍କୁ ସଂସଦର ଓ୍ବେଲକୁ ଆସି ନାରାବାଜି କରିବାକୁ ସଙ୍କେତ ଦେଉଥିବାର ଦେଖାଯାଇଥିଲା।

ଏହାପରେ ଇଣ୍ଡିଆ ମେଣ୍ଟର ଏମପିମାନେ ଓ୍ବେଲକୁ ଆସି ନାରାବଜି କରିଥିଲେ। ପ୍ରଧାନମନ୍ତ୍ରୀ ଭାଷଣ ଦେବାବେଳେ ମଣିପୁରର ଦୁଇ ଏମପି ହୋ ହଲ୍ଳା କରିଥିଲେ। ଧୀରେ ଧୀରେ କଂଗ୍ରେସ ଏବଂ ବିରୋଧୀ ଦଳର ସମସ୍ତ ଏମପି ବିରୋଧୀ ବେଞ୍ଚ ସମ୍ମୁଖରେ ଏକାଠି ହୋଇଥିଲେ। ରାହୁଲ ଗାନ୍ଧୀ ସମସ୍ତ ଏମପିଙ୍କୁ ଓ୍ବେଲ ଆଡକୁ ଯିବାକୁ ସଙ୍କେତ ଦେଇଥିଲେ। ମଣିପୁରର ଏମପିଙ୍କ ସହିତ କଂଗ୍ରେସର ମାଣିକମ ଟାଗୋର ଏବଂ ହିବି ଇଡେନ ରହିଥିଲେ।

ହଠାତ୍‌ ଏକ ଆଶ୍ଚର୍ଯ୍ୟକର ଘଟଣା ସଂସଦରେ ଦେଖିବାକୁ ମିଳିଥିଲା। ପ୍ରାୟ ଏକ ଘଣ୍ଟା ଧରି ଲଗାତାର ସ୍ଲୋଗାନ ଦେବା ପରେ ଥକି ଯାଇଥିବା କଂଗ୍ରେସ ଏମପି ମାଣିକମ ଟାଗୋରଙ୍କୁ ପ୍ରଧାନମନ୍ତ୍ରୀ ପାଣି ଗ୍ଲାସ ଯାଚିଥିଲେ। ମାଣିକମ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଠିଆ ହୋଇ ଉଚ୍ଚ ସ୍ବରରେ ସ୍ଲୋଗାନ ଦେଉଥିଲେ। ପରେ ପାଣି ଗ୍ଲାସ ଧରି ମାଣିକମ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।

Share