Advertisement
Categories: ଜାତୀୟ

‘ସର୍ଜିକାଲ ଷ୍ଟ୍ରାଇକ୍‌ର ଅତ୍ୟଧିକ ପ୍ରଚାର କରିଥିଲେ ମୋଦି’

ନୂଆଦିଲ୍ଲୀ, ୭ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରେ ୨୦୧୬ରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ର ବହୁଳ ପ୍ରଚାର କରିଥିଲେ ବୋଲି ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏଭଳି ପ୍ରଚାରର କୌଣସି ଆବଶ୍ୟକତା ନ ଥିଲା। ପାକିସ୍ତାନର ଆକ୍ରୋଶ ଓ କାର୍ଯ୍ୟକଳାପ ବିରୋଧରେ ସୀମାନ୍ତରେ ଭାରତୀୟ ସେନା ପକ୍ଷରୁ ଏଭଳି ଷ୍ଟ୍ରାଇକ୍‌ ସାଧାରଣ କଥା। ଏହି ଅପରେଶନ୍‌ ଉପରେ ଅଧିକ ମାତ୍ରାରେ ଆଲୋଚନା ଆମକୁ କୌଣସି ସୁଫଳ ଦେଇନାହିଁ ବୋଲି ପ୍ରଣବ ବହିରେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅର ଜନ୍ମଦିନରେ ଯୋଗଦେବା ପାଇଁ ମୋଦିଙ୍କ ଲାହୋର ଗସ୍ତ ମଧ୍ୟ ଅନାବଶ୍ୟକ ଥିଲା। ପାକିସ୍ତାନ ଓ ଭାରତ ସମ୍ପର୍କ ସୁଧାରିବା ପାଇଁ ଏହା କୌଣସି ପ୍ରକାରେ କାମରେ ଲାଗି ନ ଥିଲା ଏବଂ ପାକିସ୍ତାନ ପକ୍ଷରୁ ଏହାକୁ ଅଣଦେଖା କରାଯାଇଥିଲା। ଶପଥ ଗ୍ରହଣ ଉତ୍ସବରେ ସାର୍କ ନେତାଙ୍କୁ ନିମନ୍ତ୍ରଣ କରିବା ଏକ ଭଲ ପଦକ୍ଷେପ ଥିଲା ବୋଲି ପ୍ରଣବ ଉଲ୍ଲେଖ କରିଛନ୍ତି। ପ୍ରଣବ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭିନ୍ନ ଭିନ୍ନ ଆଦର୍ଶର ପ୍ରଧାନମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ, ଯାହା ତାଙ୍କୁ ଭଲ ଅନୁଭୂତି ଦେଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share