ଜୁନ୍‌ ୨୪ରେ ମୋଦି-ପୁଟିନ୍‌-ଜିନ୍‌ପିଙ୍ଗ ଭେଟ…

ନୂଆଦିଲ୍ଲୀ/ମସ୍କୋ/ବେଜିଂ, ୨୮।୫ : ୟୁକ୍ରେନ ଯୁଦ୍ଧ ଏବଂ ଲଦାଖ ସୀମାରେ ଚାଇନା ପକ୍ଷରୁ ଉତ୍ତେଜନା ସୃଷ୍ଟି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଚାଇନା ଏବଂ ରୁଷିଆର ରାଷ୍ଟ୍ରପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବ୍ରିକ୍ସ ଶିଖର ସମ୍ମିଳନୀରେ ମୋଦିଙ୍କ ସହିତ ଭ୍ଲାଡ଼ିମିର ପୁଟିନ୍‌ ଏବଂ ଶି ଜିନ୍‌ପିଙ୍ଗଙ୍କ ସାକ୍ଷାତ୍‌ ହେବ।

ବ୍ରିକ୍ସ ସମ୍ମିଳନୀରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଯୋଗଦେବେ। ଯଦିଓ ଏହି ସମ୍ମିଳନୀ ଭର୍ଚୁଆଲ ହେବ, ତଥାପି ସମଗ୍ର ବିଶ୍ୱର ଆଖି ଏହା ଉପରେ ରହିଛି। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ପ୍ରଥମ ଥର ପାଇଁ ବ୍ରିକ୍ସ ବୈଠକରେ ଯୋଗଦେବାକୁ ଯାଉଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ସୂତ୍ରରୁ ପ୍ରକାଶ ଯେ ଏହି ବ୍ରିକ୍ସ ସମ୍ମିଳନୀ ଜୁନ ୨୪ରେ ଅନୁଷ୍ଠିତ ହେବ।

ଏହାପୂର୍ବରୁ ମେ ୧୯ ରେ ବ୍ରିକ୍ସର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ବୈଠକ ହୋଇଥିଲା। ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ତାଙ୍କ ଅଭିଭାଷଣରେ ଅନ୍ୟମାନଙ୍କ ଉପରେ ପ୍ରାଧାନ୍ୟ ଦେଖାଇବାକୁ ଏବଂ ଶକ୍ତି ରାଜନୀତିକୁ ବିରୋଧ କରୁଥିବାବେଳେ ପରସ୍ପରର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଚିନ୍ତାଧାରାର ଯତ୍ନ ନେବାକୁ ନିବେଦନ କରିଥିଲେ। ଜିନ୍‌ପିଙ୍ଗ ଆମେରିକା ଏବଂ ୟୁରୋପକୁ ସୂଚିତ କରି କହିଥିଲେ ଯେ ସେ ଅନ୍ୟମାନଙ୍କ ସୁରକ୍ଷା ମୂଲ୍ୟରେ ନିଜର ସୁରକ୍ଷା ନିଶ୍ଚିତ କରିବାକୁ ଚାହୁଁଛନ୍ତି, ଯାହା ନୂତନ ସଙ୍କଟ ଏବଂ ଉତ୍ତେଜନା ସୃଷ୍ଟି କରିପାରେ। ବର୍ତ୍ତମାନ ବ୍ରିକ୍ସ ଶିଖର ସମ୍ମିଳନୀରେ ସେ ବିଶ୍ୱସ୍ତରୀୟ ସୁରକ୍ଷା ଉପରେ ତାଙ୍କର ନୂତନ ପଦକ୍ଷେପ ’ସାଧାରଣ ସୁରକ୍ଷା’ ପାଇଁ ସମର୍ଥନ ହାସଲ କରିବାକୁ ପଦକ୍ଷେପ ନେଇପାରିବ।
ବ୍ରିକ୍ସର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ୟୁକ୍ରେନରେ ସୃଷ୍ଟି ହୋଇଥିବା ମାନବିକ ସଙ୍କଟ ଦର୍ଶାଇରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈ ଠକରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ, ଜୟଶଙ୍କର ଲଦାଖ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ ବିଷୟରେ ବ୍ରିକ୍ସ ଆଲୋଚନା ଜାରି ରଖିଛି, କିନ୍ତୁ ସଦସ୍ୟ ଦେଶମାନେ ମଧ୍ୟ ସେମାନଙ୍କ ପ୍ରତିଶ୍ରୁତି ପାଳନ କରିବା ଉଚିତ।

ବ୍ରିକ୍ସର ଏହି ଶିଖର ସମ୍ମିଳନୀ ପରେ ୨୬ ରୁ ୨୮ ଜୁନ ମଧ୍ୟରେ ଜର୍ମାନୀରେ ଜି-୭ ଦେଶମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶେଷ ଭାବେ ଆମନ୍ତ୍ରିତ କରାଯାଇଛି। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ପାଇଁ ରୁଷିଆକୁ ଏକ ଘରିକିଆ କରିବା ଲାଗି ଆଲୋଚନା କରାଯିବାର ସମ୍ଭାବନା ରହିଛି।

Share