Categories: ଜାତୀୟ

ବେରୋଜଗାର-ମହଙ୍ଗା ମାଡ଼ ବୃଦ୍ଧି ପାଇଁ ଦାୟୀ ମୋଦି: ରାହୁଲ

ନୂଆଦିଲ୍ଲୀ,୨୦।୩: କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାରଙ୍କ ଯୋଗୁ ଦେଶରେ ବେରୋଜଗାର ଏବଂ ମହଙ୍ଗା ମାଡ଼ ବଢ଼ିବାରେ ଲାଗିଛି। ଅପରପକ୍ଷରେ ମୋଦିଙ୍କ ପ୍ରିୟ ଶିଳ୍ପପତି ବନ୍ଧୁଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି। ଦେଶର ଏଭଳି ସଙ୍କଟ ଜନକ ସ୍ଥିତି ପାଇଁ ମୋଦି ହିଁ ଦାୟୀ ବୋଲି ରାହୁଲ କହିଛନ୍ତି। କରୋନା ମହାମାରୀ ପୂର୍ବରୁ ୯କୋଟି ୯୦ ଲକ୍ଷ ଲୋକ ମଧ୍ୟମ ଆୟ ବର୍ଗର ଅଂଶବିଶେଷ ଥିଲେ। ତେବେ ଏବେ ସେମାନଙ୍କ ସଂଖ୍ୟା କମି ୬କୋଟି ୬୦ ଲକ୍ଷରେ ପହଞ୍ଚିଛି। ୩ କୋଟି ୩୦ ଲକ୍ଷ ଲୋକ ଏହି ବର୍ଗରୁ ନିମ୍ନ ଆୟ ବର୍ଗକୁ ଖସି ଆସିଛନ୍ତି। ୨୦୧୧ରୁ ୨୦୧୯ ମଧ୍ୟରେ ୫କୋଟି ୭୦ ଲକ୍ଷ ଲୋକ ନିମ୍ନ ଆୟ ବର୍ଗରୁ ଉଠି ମଧ୍ୟମ ଆୟ ବର୍ଗରେ ପହଞ୍ଚିଥିଲେ। ତେବେ ଏବେ ସେମାନଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ସମ୍ପ୍ରତି ଦେଶର ସାଢ଼େ ୭ କୋଟି ଲୋକଙ୍କ ଦୈନିକ ଆୟ ୧୫୦ ଟଙ୍କା ଅବା ଏହାଠାରୁ କମ ରହିଛି। ମୋଦି ସରକାରଙ୍କ ଯୋଗୁ ସାଧାରଣ ଲୋକଙ୍କ ଜୀବନଧାରଣ ଧାରାରେ ସଙ୍କଟ ସୃଷ୍ଟି ହୋଇଥିବା ରାହୁଲ ଅଭିଯୋଗ କରିଛନ୍ତି।

Share