
ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଶୋଚନୀୟ ପରାଜିତ ହେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ପଦରୁ ଆତିଶୀ ଇସ୍ତଫା ଦେଇଛନ୍ତି। କାଲ୍କାଜି ଆସନରୁ ଜିତିଥିବା ଆତିଶୀ ରବିବାର ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ନୂଆ ସରକାର ଗଢ଼ାହେବା ପର୍ଯ୍ୟନ୍ତ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ପଦରେ ରହିବାକୁ ସାକ୍ସେନା କହିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରୁ ଫେରିବା ପରେ ଆସନ୍ତା ସପ୍ତାହରେ ଭାଜପା ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ବୋଲି ଆଶା କରାଯାଉଛି। ଶନିବାର ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଉପରାଜ୍ୟପାଳ ଦିଲ୍ଲୀ ବିଧାନସଭା ଭଙ୍ଗ କରିଥିଲେ।
ଗତ ୫ ତାରିଖରେ ଅନୁଷ୍ଠିତ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ୪୮ ଆସନରେ ବିଜୟୀ ହୋଇ ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବ୍ୟବଧାନରେ ଦିଲ୍ଲୀରେ କ୍ଷମତାକୁ ଫେରିଛି। ଅନ୍ୟପକ୍ଷରେ ଶାସକ ଭାଜପା ୨୨ ଆସନରେ ସୀମିତ ରହିଥିବାବେଳେ କଂଗ୍ରେସ କ୍ରମାଗତ ତୃତୀୟ ଥର ପାଇଁ ଖାତା ଖୋଲିପାରି ନାହିଁ। ଅବକାରୀ ଦୁର୍ନୀତି ମାମଲାରେ ଜେଲ୍ ଯିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପଦରୁ ଇସ୍ତଫା ଦେବାରୁ ଗତବର୍ଷ ସେପ୍ଟେମ୍ବରରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ଦିଲ୍ଲୀରେ ଆପ୍ ଏକ ଗଠନମୂଳକ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ଦଳୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି। ୨୬ ବର୍ଷ ପରେ ଭାଜପା ଦିଲ୍ଲୀରେ କ୍ଷମତାକୁ ଫେରିଥିବାରୁ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ବହୁ ଆଡ଼ମ୍ବର ସହିତ ଆୟୋଜିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ଭାଜପା ସୂତ୍ରରୁ ଜଣାପଡ଼ିଛି।