ରତ୍ନଭଣ୍ଡାରକୁ ନେଇ ମୋଦିଙ୍କ ବଡ଼ ଖୁଲାସା, କହିଲେ ବିଜେଡି…

ଭୁବନେଶ୍ୱର,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୨ ଦିନିଆ ଗସ୍ତରେ ଶନିବାର ଫୁଲବାଣୀରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ଏହାପରେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ମେଗା ରୋଡ ଶୋ’ ବିଷୟରେ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଅଭିଭାଷଣ ସମୟରେ ସେ ବିଜେଡିକୁ ରତନଭଣ୍ଡାର ପ୍ରସଙ୍ଗ ନେଇ ଘେରିଛନ୍ତି। ପୂର୍ବରୁ ମୋଦି ନିର୍ବାଚନୀ ପ୍ରଚାର ପାଇଁ ଯେତିକି ଥର ଓଡ଼ିଶା ଆସିଛନ୍ତି ସେତେବେଳେ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କିନ୍ତୁ ଆଜି ଫୁଲବାଣୀରେ ବିଶାଳ ଜନସଭାକୁ ସମ୍ବୋଧନ କରି ବିଜେଡିକୁ ତୁହାକୁ ତୁହା ଆକ୍ରମଣ କରିଛନ୍ତି।

ସେ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା। ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ। ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି। ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ। ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ବିଜେଡି ସରକାର। ଚାବି କୁଆଡ଼େ ଗଲା, ଆପଣଙ୍କର ଜାଣିବା ଅଧିକାର ଅଛି।

ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି। ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା। ଡୁପ୍ଲିକେଟ ଚାବିରେ କେହି ରତ୍ନ ଭଣ୍ଡାର ଖୋଲୁ ନ ଥିଲା ତ, ରତ୍ନ ନେଉ ନ ଥିଲା ତ। ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ। ଏଥିପାଇଁ କମିଶନ ତ ବସିଲା, ହେଲେ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ ଭୀତତ୍ରସ୍ତ ଅଛନ୍ତି। ଭାଜପା ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ।

Share