କରୋନା ସ୍ଥିତି ସମୀକ୍ଷା କଲେ ମୋଦି-ଶାହା

ନୂଆଦିଲ୍ଲୀ,୨୪।୧୧: କରୋନା ମହାମାରୀ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂରେ ଏକ ବୈଠକରେ ଯୋଗଦେଇ ସ୍ଥିତି ସମୀକ୍ଷା କରିଛନ୍ତି। କେରଳ, ପଶ୍ଚିମବଙ୍ଗ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟରେ କରୋନା ସଂକ୍ରମଣ କିଭଳି ରୋକାଯିବ ସେ ସମ୍ପର୍କରେ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି। ମୋଦି କହିଛନ୍ତି ଯେ, କରୋନା ଟିକା କେବେ ଆସିବ ତାହାର ଠିକ୍‌ ସମୟ ବିଷୟରେ କିଛି କହିହେବ ନାହିଁ। ଏନେଇ କିଛି ଲୋକ ରାଜନୀତି ମଧ୍ୟ କରୁଛନ୍ତି। ଟିକା ଆସିବା ସମ୍ପୂର୍ଣ୍ଣ ଭାବେ ବୈଜ୍ଞାନିକମାନଙ୍କ ହାତରେ ରହିଛି। ୟୁରୋପ ଏବଂ ଆମେରିକାରେ ମଧ୍ୟ କରୋନା ସଂକ୍ରମଣ ବଢ଼ିଛି ତେଣୁ ସତର୍କ ରହିବା ଆବଶ୍ୟକ ବୋଲି ଶାହା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୧୦୦୦ ଆଇସିୟୁ ବେଡ୍‌ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କରୋନା ଟିକା ବିତରଣ ପାଇଁ ଏକ ଟ୍ୟାସ୍କ୍‌ ଫୋର୍ସ ଗଠନ କରିଥିବା କହିଛନ୍ତି।

Share