Categories: ଜାତୀୟ

ମୋଦି-ଶାହା ଯୋଡ଼ିଙ୍କ ଚୌକା ଛକା: ୭ ବର୍ଷରେ ୭ ରାଜ୍ୟରେ ଅସମ୍ଭବ ହୋଇଛି ସମ୍ଭବ

ନୂଆଦିଲ୍ଲୀ, ୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଯୋଡ଼ି ବେଶ୍‌ ସଫଳ ରହିଛି। ୨୦୧୪ ଠାରୁ ଗତ ୭ ବର୍ଷ ମଧ୍ୟରେ ୭ ରାଜ୍ୟରେ ମୋଦି-ଶାହାଙ୍କ ଯୋଜନାବଦ୍ଧ ରଣନୀତି ଯୋଗୁ ଅସମ୍ଭବ ସମ୍ଭବ ହୋଇଛି। ମୋଦି-ଶାହା ଯୋଡ଼ିଙ୍କ ଚୌକା ଛକାରେ ବିରୋଧୀ ଧରାଶାୟୀ ହୋଇଛନ୍ତି। ଗୋଆ, କର୍ନାଟକ, ମଧ୍ୟପ୍ରଦେଶ, ବିହାର, ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ମୋଦି-ଶାହାଙ୍କ ନିପୁଣ କୂଟନୀତି ବେଶ୍‌ ସଫଳ ରହିଛି। ଫଳରେ ରାଜ୍ୟରେ ଶାସନ କରୁଥିବା ଶାସକ କ୍ଷମତାଚ୍ୟୁତ ହୋଇଛନ୍ତି। ୨୦୧୬ ଜୁଲାଇ ୧୭ରେ ଅରୁଣାଚଳପ୍ରଦେଶରେ ଭାଜପାର ଅପରେଶନ ଲୋଟସ୍‌ ଆରମ୍ଭ ହୋଇଥିଲା। ପରେ ୨୦୧୬ ଡିସେମ୍ବର ୨୯ରେ ରାଜ୍ୟରେ କଂଗ୍ରେସ ସରକାରର ପତନ ହୋଇଥିଲା। ବିହାରରେ ଲାଲୁ ଯାଦବ ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ଭାଜପା ରାଜ୍ୟରେ କ୍ଷମତା ଦଖଲ କରିଥିଲା। ଗୋଆରେ ଶାହାଙ୍କ ରଣନୀତି ଯୋଗୁ କଂଗ୍ରେସ କ୍ଷମତାଠାରୁ ଦୂରେଇ ରହିଥିଲା। ମଣିପୁରରେ ଗୋଆ ଭଳି ସ୍ଥିିତି ସୃଷ୍ଟି କରି ଭାଜପା ସହଜରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ମେଘାଳୟରେ ଅସମ୍ଭବ ମନେ ହେଉଥିବା ସ୍ଥଳେ ଯୋଜନା ବଦ୍ଧ ରଣନୀତି ଯୋଗୁ ଭାଜପା କ୍ଷମତା ହାତେଇ ନେଇଛି। କର୍ନାଟକରେ ଶାସକ ଦଳରେ ବିଦ୍ରୋହ ସୃଷ୍ଟି କରି ଭାଜପା ସରକାର ଗଠନ କରିପାରିଛି। ସେହିପରି ମଧ୍ୟପ୍ରଦେଶରେ କଂଗ୍ରେସରେ ବିଦ୍ରୋହ ଦ୍ୱାରା ଭାଜପା କ୍ଷମତା ଦଖଲ କରିଛି। ତେବେ ମହାରାଷ୍ଟ୍ରରେ ଭାଜପାର ପଶାପାଲି ଟିକେ ଅଲଗା ହେବାରୁ ଆଶା ପୂରଣ ହୋଇ ପାରି ନାହିଁ। ସେହିପରି ଏବେ ରାଜସ୍ଥାନରେ କଂଗ୍ରେସର ରଣନୀତି ଆଗରେ ଭାଜପାର ଯୋଜନା ଅସଫଳ ରହିଛି।

Share