Categories: ଜାତୀୟ

ମୋଦି ଦିଅନ୍ତୁ ଇସ୍ତଫା, ଶାହା ହୁଅନ୍ତୁ ଦେଶର ପ୍ରଧାନମନ୍ତ୍ରୀ: ଟି.ଏସ. ସିଂ ଦେଓ…

ରାୟପୁର,୨୭।୭ : ମଣିପୁର ପ୍ରସଙ୍ଗରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ସଂସଦରେ ବିରୋଧୀ ଦଳର ମିଳିତ ମେଣ୍ଟ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର ମାଗି ଲୋକସଭାରେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଲୋକସଭା ବାଚସ୍ପତି ଓମ ର୍ବିଲା ଏହାକୁ ଗ୍ରହଣ କରିଛନ୍ତି ଏବଂ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ତାରିଖ ଦେବାକୁ ସମସ୍ତ ପକ୍ଷଙ୍କୁ କହିଛନ୍ତି। ଅପରପକ୍ଷରେ ଛତିଶଗଡର ଉପମୁଖ୍ୟମନ୍ତ୍ରୀ ଟି.ଏସ ସିଂ ଦେଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିଛନ୍ତି।

ମଣିପୁରର ପରିସ୍ଥିତିକୁ ନେଇ ଛତିଶଗଡର ଡେପୁଟି ସିଏମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଟି.ଏସ ସିଂ ଦେଓ କହିଛନ୍ତି ଯଦି ମଣିପୁର ଘଟଣାର ପ୍ରଧାନମନ୍ତ୍ରୀ ନିଜର ଦାୟିତ୍ୱବୋଧ ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି, ତେବେ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ କରିବା ଉଚିତ ଏବଂ ଶାହା ଦେଶକୁ ଉତ୍ତର ଦେବା ଉଚିତ। ମଣିପୁରରେ ଘଟିଥିବା ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବର୍ଣ୍ଣନା କରି ଡେପୁଟି ସିଏମ କହିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ ଏହି ପ୍ରସଙ୍ଗରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଚାହୁଁଛନ୍ତି। ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କୁ ଚିଠି ଲେଖିବା ପରେ ଛତିଶଗଡର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଅନେକ ଲୋକଙ୍କ ଜୀବନ ଯାଇଛି। ମହିଳାମାନଙ୍କ ପ୍ରତି ନିର୍ଦ୍ଦୟ ତଥା ଅମାନୁଷିକ ବ୍ୟବହାର କରାଯାଉଛି । ଯଦି ଏଫଆଇଆରର ୭୭ ଦିନ ପରେ କାର୍ଯ୍ୟ ଆରମ୍ଭ ହୁଏ, ତେବେ ଏଥି ପାଇଁଁ କିଏ ଦାୟୀ?

ମଣିପୁର ସିଏମ ଏନ ବିରେନ ସିଂ ଇସ୍ତଫା ଦେବା ଉଚିତ ଏବଂ ଯଦି ସେ ଏହା କରିବାକୁ ଚାହୁଁ ନାହାଁନ୍ତି ତେବେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ହଟାଇବାକୁ ଦ୍ୱିଧା କରିବା ଠିକ ନୁହେଁ। ତାଙ୍କୁ ବହୁ ପୂର୍ବରୁ ହଟାଇ ଦିଆଯିବା ଉଚିତ ଥିଲା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ବିରେନ ସିଂ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ନୁହଁନ୍ତି, ତେବେ ସେ ସିଏମ ଭାବେ କାର୍ଯ୍ୟ ଜାରି ରଖିବାର କୌଣସି ଅର୍ଥ ନାହିଁ।

Share