Categories: ଜାତୀୟ

ରାହୁଲଙ୍କୁ କେତେ ଟଙ୍କା ଦେଇଛନ୍ତି ଅମ୍ବାନୀ-ଆଦାନୀ, ମୋଦି କହିଲେ…

ନୂଆଦିଲ୍ଲୀ,୮।୫: ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଉପରେ ବର୍ଷିଛନ୍ତି। ଏହାରି ଭିତରେ ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଆଦାନୀଙ୍କ କଥା କହିବା ବନ୍ଦ କରି ଦେଇଛନ୍ତି। ଏବେ ତା’ହେଲେ ଭିତରେ କେଉଁ ଡିଲ ହୋଇଛି ଯାହାକୁ ନେଇ ଅମ୍ବାନୀ-ଆଦାନୀଙ୍କୁ ରାହୁଲ ଟାର୍ଗେଟ କରିବା ବନ୍ଦ କରିଦେଇଛନ୍ତି। ଏହି ୫ ବର୍ଷ ଭିତରେ ଗାଳି ଦେବା ପରେ ଏବେ କିଛି ଚୋରି ସାମଗ୍ରୀ ଘରେ ବୋଧେ ପହଞ୍ଚିଛି। ତେବେ ଏ ସମ୍ପର୍କରେ ରାଜକୁମାର ହିଁ ସ୍ପଷ୍ଟ କରିପାରିବେ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଯେହେତୁ ତାଙ୍କ ରାଫେଲ ମାମଲା ଭିତ୍ତିହୀନ, ସେଥିପାଇଁ ସେମାନେ ଆଉ ଏକ ଭିତ୍ତିହୀନ ପ୍ରସଙ୍ଗ ଦୋହରାଇବାକୁ ଲାଗିଲେ। ଶିଳ୍ପପତି ଆଦାନୀ-ଅମ୍ବାନୀଙ୍କୁ ଲଗାତାର ଟାର୍ଗେଟ କରିବାକୁ ଲାଗିଲେ। କିନ୍ତୁ ନିର୍ବାଚନ ଘୋଷଣା ହେବା ପରଠାରୁ ସେମାନେ ଅମ୍ବାନୀ-ଆଦାନୀ କହିବା ବନ୍ଦ କରି ଦେଇଛନ୍ତି। ଆଜି ମୁଁ ତେଲଙ୍ଗାନାକୁ ପଚାରିବାକୁ ଚାହୁଁଛି ଯେ, ଏହି ରାଜକୁମାରମାନେ ନିର୍ବାଚନରେ ଅମ୍ବାନୀ-ଆଦାନୀଙ୍କଠାରୁ କେତେ ଟଙ୍କା ନେଇଛନ୍ତି ତାହା ସର୍ବସମ୍ମୁଖରେ ଘୋଷଣା କରନ୍ତୁ।

Share