ଭାରତମାତା, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବରଗଡ଼,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶନିବାର ଅପରାହ୍ନରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବରଗଡ଼ରେ ପହଞ୍ଚିଛନ୍ତି। ମୋଦି ବରଗଡ଼ରେ ପହଞ୍ଚିବା ପରେ ମୋଦି ଜୀ ମୋଦି ଜୀ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ। ପ୍ରଧାନମନ୍ତ୍ରୀ ପ୍ରଥମେ ଭାରତମାତା, ଜୟ ଜଗନ୍ନାଥ, ମା’ ସମଲେଇ ବୋଲି କହି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ବରଗଡ଼ ଧନୁଯାତ୍ରାକୁ ନେଇ କହିଛନ୍ତି ଏହି ଯାତ୍ରା ସାରା ବିଶ୍ୱରେ ପ୍ରସିଦ୍ଧ। ମଝିରେ ମଝିରେ ପ୍ରଧାନମନ୍ତ୍ରୀ ଓଡ଼ିଆରେ କହିଛନ୍ତି। କହିଛନ୍ତି, କେତେଦିନ ଓଡ଼ିଶା ସହିବ। ସେ କହିଛନ୍ତି, ୨୫ ବର୍ଷ ଭିତରେ ବିଜେଡି ସରକାର ଗରିବୀରୁ ବାହାରକୁ ଆଣିପାରିନି। ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି। ଏଥର ସରକାର ବଦଳିବା ଦରକାର।  ମୁଁ ଆପଣମାନଙ୍କର ଆଶୀର୍ବାଦ ନେବାକୁ ଆସିଛି। ଆପଣମାନେ ମୋତେ ଆଶୀର୍ବାଦ ଦେବେ ନା ନାହିଁ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ଏମ୍‌ପି ପ୍ରାର୍ଥୀ ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପାରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ କହିଥିଲେ।