Categories: ଜାତୀୟ

ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୪।୮: ମୋଦି ସରନେମ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଏହାର ରାୟ ଦେବାବେଳେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ରାହୁଲଙ୍କୁ ଆଶ୍ୱସ୍ତି ପ୍ରଦାନ କରି ବିଚାରପତି କହିଛନ୍ତି, ସେସନ୍ସ କୋର୍ଟରେ ଆବେଦନ ବିଚାର ନ ହେବା ପର୍ଯ୍ୟନ୍ତ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗିଛି। ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀ ଆଶ୍ୱସ୍ତି ପାଇବା ପରେ କଂଗ୍ରେସ କହିଛି, ଏହା ହେଉଛି ଘୃଣା ବିରୋଧରେ ପ୍ରେମର ବିଜୟ। ସତ୍ୟମେବ ଜୟତେ-ଜୟ ହିନ୍ଦ। ଏହାପୂର୍ବରୁ ଗୁଜରାଟ ହାଇକୋର୍ଟ ଏହି ମାମଲାରେ ରାହୁଲ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ।
ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲାରେ ଟ୍ରାଏଲ ଜଜ ସର୍ବାଧିକ ଦଣ୍ଡବିଧାନ ପାଇଁ କୌଣସି ନିର୍ଦ୍ଦିଷ୍ଟ କାରଣ ଦେଇ ନାହନ୍ତି। ଯଦି ଦଣ୍ଡ ଗୋଟିଏ ଦିନରୁ କମ ହୋଇଥାନ୍ତା, ଅଯୋଗ୍ୟତା ବ୍ୟବସ୍ଥା ପ୍ରଯୁଜ୍ୟ ହୋଇ ନ ଥାନ୍ତା। ତେଣୁ ଚୂଡାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରୋକ ଲାଗିବ।
ସୂଚନାଯୋଗ୍ୟ, ମୋଦି ସର୍‌ନାମ ବଦନାମ ମାମଲାରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ଜୁଲାଇ ୩୧ରେ ସୁପ୍ରିମ୍‌କୋର୍ଟରେ ଏକ ଜବାବ ଦାଖଲ କରିଥିଲେ। ଏଥିରେ ସେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିବାକୁ ଦାବି କରିଥିଲେ। ପୂର୍ଣ୍ଣେଶ ମୋଦି ସୁପ୍ରିମ୍‌କୋର୍ଟରେ ଦେଇଥିବା ଜବାବରେ ରାହୁଲ କ୍ଷମା ମାଗିବାକୁ ମନା କରିବାରୁ ‘ଅହଂକାରୀ’ ଶବ୍ଦ ବ୍ୟବହାର କରିଥିଲେ। ରାହୁଲଙ୍କୁ ଆଶ୍ୱସ୍ତି ଦେବା ପାଇଁ କୌଣସି ଆଧାର ନାହିଁ ବୋଲି ପୂର୍ଣ୍ଣେଶ ମୋଦି କହିଥିଲେ। ତାଙ୍କର ଆଚରଣ ଗର୍ବରେ ପରିପୂର୍ଣ୍ଣ। ବିନା କାରଣରେ ସମଗ୍ର ଶ୍ରେଣୀକୁ ଅପମାନିତ କରିବା ପରେ ସେ କ୍ଷମା ମାଗିବାକୁ ମନା କରିଦେଇଥିଲେ।
ଆଜିର ଶୁଣାଣି ପୂର୍ବରୁ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କୁ କହିଥିଲେ ଯେ, ମୁଁ ଏହି ଅପରାଧରେ ଦୋଷୀ ନୁହେଁ। ତେଣୁ ଦଣ୍ଡ ଉପରେ ରୋକ ଲଗାଯାଉ। ଯଦି କ୍ଷମା ମାଗିବା ଏବଂ ଦଣ୍ଡ ହ୍ରାସ କରିବାର ଥିଲା, ତେବେ ମୁଁ ବହୁତ ଦିନ ପୂର୍ବରୁ କରିପାରିଥା’ନ୍ତି। ଅଭିଯୋଗକାରୀ ଭାଜପାର ପୂର୍ଣ୍ଣେଶ ମୋଦି ନିଜେ ମୂଳତଃ ମୋଦି ସମ୍ପ୍ରଦାୟର ନୁହନ୍ତି। କ୍ଷମା ମାଗି ନ ଥିବାରୁ ମୋତେ ଅହଂକାରୀ କହିବା ଭୁଲ୍‌।
ମାନହାନି ମାମଲାରେ ରାହୁଲଙ୍କୁ ଚଳିତବର୍ଷ ମାର୍ଚ୍ଚରେ ସୁରତ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ଏହି ରାୟକୁ କାଏମ ରଖିଥିଲେ। ଏହା ପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ। ଉଲ୍ଲେଖଯୋଗ୍ୟ, ୧୩ ଏପ୍ରିଲ ୨୦୧୯ରେ, କର୍ନାଟକର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ରାହୁଲ କହିଥିଲେ ଯେ, ସମସ୍ତ ଚୋରଙ୍କ ସର୍‌ନାମ ମୋଦି କାହିଁକି ହୁଏ? ଏହି ପ୍ରସଙ୍ଗରେ ପୂର୍ଣ୍ଣେଶ ମୋଦି ୨୦୧୯ରେ ତାଙ୍କ ବିରୋଧରେ ଆପରାଧିକ ମାନହାନି ମକଦ୍ଦମା ଦାଏର କରିଥିଲେ।

Share