କରୋନାର ‘ତୃତୀୟ ଲହର’କୁ ନେଇ ମନ୍ଥନ: ମୋଦିଙ୍କ ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ,୯ ।୭: ସାରା ଦେଶରେ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଅମ୍ଳଜାନର ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ବୈଠକରେ ମୋଦି କହିଛନ୍ତି ସାରା ଦେଶରେ ୧୫୦୦ରୁ ଅଧିକ ପିଏସ୍‌ଏ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରାଯାଉଛି, ଯାହା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବା ଆବଶ୍ୟକ । ଏହାସହ କରୋନାର ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ସେ କହିଛନ୍ତି । ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ପିଏମ୍ କେୟାର୍ସ ଫଣ୍ଡରୁ ପାଣ୍ଠି ଯୋଗାଇ ଦିଆଯାଇଥିବା ବେଳେ ଏହା ପାଖାପାଖି ୪ ଲକ୍ଷରୁ ଅଧିକ ଅମ୍ଳଜାନ ଶଯ୍ୟା ପାଇଁ କାମରେ ଲାଗିବ । ତେବେ ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ କେନ୍ଦ୍ରୀୟ ଅଧିକାରୀମାନେ ରାଜ୍ୟ ସରକାରଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବା ଦରକାର । ଏହାସହ ଅକ୍ସିଜେନ୍ ପ୍ଲାଣ୍ଟର ରକ୍ଷଣାବେକ୍ଷଣ ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ତାଲିମ ଦେବା ଜରୁରୀ ।

Share