Categories: ଜାତୀୟ

ରବିବାର ‘ସ୍ବାମୀତ୍ୱ’ ଯୋଜନା ଆରମ୍ଭ କରିବେ ମୋଦି: ୭୬୩ ଗ୍ରାମର ହିତାଧିକାରୀ ହେବେ ଉପକୃତ

ନୂଆଦିଲ୍ଲୀ, ୧୦।୧୦: ଗ୍ରାମବାସୀଙ୍କ ଜମିର ମାଲିକାନା ସ୍ଥିତିିକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ସ୍ବାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିବେ। ଯୋଜନା ଅନ୍ତର୍ଗତ ଲୋକଙ୍କୁ ଜମି ପଟା ବଣ୍ଟନ କରାଯିବ। ଏହା ଦ୍ୱାରା ୬ଟି ରାଜ୍ୟର ୭୬୩ ଗ୍ରାମର ହିତାଧିକାରୀ ଉପକୃତ ହେବେ। ସେଥିମଧ୍ୟରେ ଉତ୍ତରପ୍ରଦେଶର ୩୪୬ ଗ୍ରାମ ରହିଛି। ସେହିପରି ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଏବଂ କର୍ନାଟକର ୨ଟି ଗ୍ରାମ ରହିଛି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ। ଜମି ପଟା ଦେଖାଇ ଲୋକେ ଋଣ କରିପାରିବେ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରିବ ବୋଲି କୁହାଯାଉଛି। ଏକ ଲକ୍ଷ ଲୋକ ସେମାନଙ୍କର ଜମି ପଟା ମୋବାଇଲ ଫୋନ୍‌କୁ ପଠାଯାଇଥିବା ଏସ୍‌ଏମ୍‌ଏସ୍‌ ଲିଙ୍କ୍‌ ଦ୍ୱାରା ଡାଉନଲୋଡ୍‌ କରିପାରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର ବ୍ୟତିତ ଅନ୍ୟ ରାଜ୍ୟର ଗ୍ରାମବାସୀ ଗୋଟିଏ ଦିନରେ ଜମି ପଟା ପାଇପାରିବେ ବୋଲି କୁହାଯାଉଛି। ତେବେ ଏକମାସ ପରେ ମହାରାଷ୍ଟ୍ରର ଗ୍ରାମୀଣ ଲୋକେ ମଧ୍ୟ ଏହି ସୁବିଧା ପାଇପାରିବେ।

Share