ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଟ୍ରମ୍ପଙ୍କ ଉପରେ ଗୁଳିମାଡ଼କୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ସେ ଏହି ଘଟଣାରେ ଆହତ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଛନ୍ତି । ଗଣତନ୍ତ୍ର ଏବଂ ରାଜନୀତିରେ ହିଂସାର ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।
ସୂଚନା ଥାଉକି,  ପେନ୍‌ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ତାଙ୍କର ଡାହାଣ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ହେଲେ ସେ ଏବେ ବିପଦ ମୁକ୍ତ ରହିଛନ୍ତି । ଅନ୍ୟପଟେ ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଥାଉକି, ଆମେରିକାରେ ନଭେମ଼୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ପୂର୍ବତନ ରାଷ୍ଟ୍ରପତିଙ୍କ ଉପରକୁ ଗୁଳିମାଡ଼ ଆମେରିକା ନାଗରିକଙ୍କ ଚିନ୍ତା ବଢ଼ାଇଛି। ଏନେଇ ସିକ୍ରେଟ ସର୍ଭିସ ଏକ୍ସରେ ଏକ ପୋଷ୍ଟ କରି କହିଛି ଯେ, ପୂର୍ବତନ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି ।

Share