Categories: ଜାତୀୟ

ବଙ୍ଗାଳି ବେଶଭୂଷା, ଆସାମୀ ଗାମୁଛା ପକାଇ ପୁଡୁଚେରୀ ନର୍ସଙ୍କ ହାତରୁ ଟିକା ନେଲେ ମୋଦି

ନୂଆଦିଲ୍ଲୀ,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ଏମ୍ସ୍‌ରେ କରୋନା ଟିକା ନେଇଛନ୍ତି। ସେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ। ସେ ଟିକା ନେଇ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ମୋଦି ସୋମବାର ସକାଳେ ଏମ୍ସରେ ପହଞ୍ଚିଥିଲେ।
ତାଙ୍କୁ ପୁଡୁଚେରୀ ନର୍ସ ପି ନିବେଦା କରୋନା ଟିକା ଦେଇଥିଲେ। ଏହି ସମୟରେ କେରଳର ନର୍ସ ପ୍ରଧାନମନ୍ତ୍ରୀଙ୍କ ପଛରେ ଛିଡା ହୋଇଥିଲେ। ପ୍ରଧାନମନ୍ତ୍ରୀ ଟିକା ନେବାବେଳେ କାନ୍ଧରେ ଆସାମୀ ଗାମୁଛା ପକାଇଥିଲେ ଏବଂ ତାଙ୍କ ପୋଷାକ ପଶ୍ଚିମବଙ୍ଗର ଥିଲା। କରୋନା ଟିକା ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି, ମୁଁ ଏମ୍ସରେ କରୋନା ଟିକା ଗ୍ରହଣ କରିଛି, କରୋନା ବିରୋଧରେ ବିଶ୍ୱ ସଂଗ୍ରାମକୁ ଦୃଢ କରିବା ପାଇଁ ଆମର ଡାକ୍ତର ଏବଂ ବୈଜ୍ଞାନିକମାନେ କିପରି ଶୀଘ୍ର କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ। ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେଉଁମାନେ ଟିକା ନେବାକୁ ଯୋଗ୍ୟ, ଏକାଠି ହୁଅନ୍ତୁ, ମିଳିତ ଭାବେ ଭାରତକୁ କରୋନା ମୁକ୍ତ କରନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆସାମ, ପୁଡୁଚେରୀ, ପଶ୍ଚିମବଙ୍ଗ, କେରଳ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

Share