ବ୍ୟାଙ୍କକ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି BIMSTEC ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ ଭେଟିଛନ୍ତି। ବାଂଲାଦେଶରେ ବିଦ୍ରୋହ ପରେ ଏହା ଦୁଇ ଦେଶର ଶୀର୍ଷ ନେତୃତ୍ୱ ମଧ୍ୟରେ ପ୍ରଥମ ବୈଠକ ଥିଲା। ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁନୁସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବ୍ୟାଙ୍କକରେ ହୋଇଥିଲା। ୟୁନୁସ ଏବଂ ମୋଦିଙ୍କ ମଧ୍ୟରେ ହୋଇଥିବା ବୈଠକ ବିଷୟରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଆଲୋଚନାର ବିବରଣୀ ଦେଇଛନ୍ତି।
ଥାଇଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁନୁସଙ୍କ ସହ ସାକ୍ଷାତ ସମ୍ପର୍କରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏକ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ, ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି। ସେ ୟୁନୁସଙ୍କୁ କହିଥିଲେ, ଭାରତ ବାଂଲାଦେଶ ସହିତ ଏକ ସକାରାତ୍ମକ ଏବଂ ଗଠନମୂଳକ ସମ୍ପର୍କ ଗଠନ କରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ, ପରିବେଶକୁ ବିଗାଡ଼ିପାରୁଥିବା ଯେକୌଣସି ବୟାନବାଜି ଏଡାଇ ଦିଆଯିବା ଉଚିତ। ସୀମା ସୁରକ୍ଷା ବଜାୟ ରଖିବା ପାଇଁ ସୀମାରେ ଆଇନର କଠୋର ପ୍ରୟୋଗ ଏବଂ ଅବୈଧ ସୀମା ପାର ରୋକିବା ଅତ୍ୟନ୍ତ ଜରୁରୀ। ପ୍ରଧାନମନ୍ତ୍ରୀ ବାଂଲାଦେଶରେ ହିନ୍ଦୁ ସମେତ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଭାରତର ଚିନ୍ତାକୁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
ଏହାପର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଜାତୀୟ ଦିବସରେ ୟୁନୁସଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ, ଯେଉଁଥିରେ ସେ ବାଂଲାଦେଶ ମୁକ୍ତି ଯୁଦ୍ଧର ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଚିଠିରେ ଲେଖିଥିଲେ, ପରସ୍ପରର ସ୍ବାର୍ଥ ଏବଂ ଚିନ୍ତା ପ୍ରତି ପାରସ୍ପରିକ ସମ୍ବେଦନଶୀଳତା ଉପରେ ଆଧାରିତ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆମର ସମାନ ଆକାଂକ୍ଷା ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଏହି ସହଭାଗୀତାକୁ ଆଗକୁ ନେବାକୁ ପ୍ରତିବଦ୍ଧ।