Categories: ଜାତୀୟ

ମୋଦି ହେବେ ପୁଟିନ, ଦେଶରେ ଆଉ ହେବନି ନିର୍ବାଚନ: ଏଏପି…

ନୂଆଦିଲ୍ଲୀ,୧୧।୬ : କେନ୍ଦ୍ର ସରକାରଙ୍କ ଆଦେଶ ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଦିଲ୍ଲୀରେ ଏକ ମେଗା ରାଲିର ଆୟୋଜନ କରିଛି। ଏଥିରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସିଏମ ମାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯଦି ୨୦୨୪ ନିର୍ବାଚନରେ ଭାଜପା ଜିତେ ତେବେ ଭାରତର ସମ୍ବିଧାନରେ ପରିବର୍ତ୍ତନ ଆସିବ। ଦେଶରେ କୌଣସି ନିର୍ବାଚନ ହେବ ନାହିଁ ଏବଂ ନରେନ୍ଦ୍ର ମୋଦି ନରେନ୍ଦ୍ର ପୁଟିନ ହୋଇଯିବେ। ଭାଜପାର ଅର୍ଥ ହେଉଛି ଭାରତୀୟ ଜୁଗାଡୁ ପାର୍ଟି।

ସିଏମ ମାନ କହିଛନ୍ତି ଆଜିର ରାଲି ଏକ ଶକ୍ତି ପ୍ରଦର୍ଶନ ନୁହେଁ। ଏହା ଜନସାଧାରଣଙ୍କୁ ଜଣାଇବାକୁ ପଡିବ ନାଗରିକଙ୍କ ଅଧିକାର କିପରି ଛଡ଼ାଇ ନିଆଯାଉଛି। ଲୋକେ ଏକ ଧାଡିରେ ଭୋଟ ଦେଇ ନେତା ବାଛୁଛନ୍ତି। କିନ୍ତୁ, ମୋଦି ଏବଂ ଭାଜପାର ଲୋକମାନେ ଚାହାଁନ୍ତି ନାହିଁ ସେମାନଙ୍କ ବ୍ୟତୀତ ଅନ୍ୟ କାହାର ସରକାର ଗଠନ କରାଯାଉ। ଯଦି ନିର୍ବାଚନ ମାଧ୍ୟମରେ ଭାଜପା ସରକାର ଗଠନ ନ ହେଉଛି। ତେବେ ଏହି ଲୋକମାନେ ସରକାରଙ୍କୁ ଭାଙ୍ଗି ଘୋଡାବେପାର କରି ନୂଆ ସରକାର ଗଠନ କରନ୍ତି। ସେମାନେ ବିଧାୟକମାନଙ୍କୁ କିଣନ୍ତି। ତା’ପରେ ଉପ-ନିର୍ବାଚନ କରାଯାଏ। ସକାଳ ୪ ଟାରେ ରାଜ୍ୟପାଳଙ୍କୁ ନିଦରୁ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଶପଥ କରାଅ। ବାକି ସବୁ ପରେ ଦେଖାଯିବ। ଦେଶରେ ଏହି ରାଜନୀତି ଚାଲିଛି ।

ଭାରତୀୟ ଜୁଗାଡୁ ପାର୍ଟି ସବୁବେଳେ କିଛି ନା କିଛି ଖେଳିବା ଜାରି ରଖନ୍ତି। ସେହିଭଳି ଦିଲ୍ଲୀରେ ଏଏପି ସରକାର ଅଛନ୍ତି। ଲୋକେ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବାଛିଛନ୍ତି। ମାତ୍ର ଭାଜପା ସରକାର ଅଧ୍ୟାଦେଶ ଆଣିଛି। ଏହାଦ୍ୱାରା କେଜରିଓ୍ବାଲ କାମ କରିପାରିବେ ନାହିଁ। ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାରେ ସକ୍ଷମ ହେବେ ନାହିଁ। ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ। ଯଦି ସେ ସେଗୁଡିକୁ ନିୟନ୍ତ୍ରଣ କରିପାରିବେ ନାହିଁ, ଶାସନ କିପରି ଚାଲିବ ବୋଲି ମାନ ପ୍ରଶ୍ନ କରିଛନ୍ତି।

Share