Categories: ଜାତୀୟ

ମୋଦି କରିବେ ବୋଲିଂ ଶାହା କରିବେ ବ୍ୟାଟିଂ, ଭାଜପା ନେତା ରହିବେ ବାଉଣ୍ଡରୀରେ: ବିଶ୍ୱକପ ଫାଇନାଲ ନେଇ ସଞ୍ଜୟଙ୍କ କଟାକ୍ଷ…

ମୁମ୍ବାଇ,୧୯।୧୧ : ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ଫାଇନାଲ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାଜପା ନେତାଙ୍କୁ ସଞ୍ଜୟ ରାଉତକଡ଼ା ସମାଲୋଚନା କରିଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଦେଶରେ ଜାଣିଶୁଣି ବୀଶ୍ୱକପକୁ ନେଇ ପରିସ୍ଥିତି ସୃଷ୍ଟି କରାଯାଇଛି ଯେଭଳି ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳିବେ। ସତେ କି ପ୍ରଧାନମନ୍ତ୍ରୀ ମୋଦି ବୋଲିଂ କରିବେ।

ଏହି ପ୍ରତିଯୋଗିତା ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ସବୁକିଛି ରାଜନୀତିକରଣ କରାଯାଇଛି। ସବୁକିଛି ପାଇଁ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜନୀତି କ୍ରିକେଟ ଭିତରକୁ ଆଣିବା ଉଚିତ ନୁହେଁ, କିନ୍ତୁ କଣ କରାଯିବ ଅହମଦାବାଦରେ ଏହା ଘଟୁଛି।

ସଞ୍ଜୟ ରାଉତ ଉପହାସ କରି କହିଛନ୍ତି ଅହମଦାବାଦରେ କ୍ରିକେଟର ରାଜନୀତିକରଣ କରାଯାଉଛି। ଲାଗୁଛି ଯେପରି ପିଏମ ମୋଦି ନିଜେ ବୋଲିଂ କରିବେ ଏବଂ ଅମିତ ଶାହା ବ୍ୟାଟିଂ କରିବେ, ଅବଶିଷ୍ଟ ସମସ୍ତ ନେତା ବାଉଣ୍ଡରୀରେ ଠିଆ ହେବେ। ଏକ କଟାକ୍ଷ କରି ସେ କହିଛନ୍ତି, ଆମେ ଶୁଣିବାକୁ ପାଇବୁ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଥିଲେ ଏବଂ ସେଥିପାଇଁ ଆମେ ବିଶ୍ୱକପ ଜିତିଲୁ । ଆଜିକାଲି ମୋଦି ସରକାର କ୍ଷମତାକୁ ଆସିବା ମାତ୍ରେ ଏହି ଦେଶରେ କିଛି ନୂଆ ନୂଆ ଘଟୁଛି।

Share