ନୂଆଦିଲ୍ଲୀ,୨୪।୨: ଆସନ୍ତା ୨୭ରେ ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ପ୍ରଚାର ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉଭୟ ଉତ୍ତର-ପୂର୍ବ ରାଜ୍ୟରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି। ମେଘାଳୟ ଭାଜପା ସଭାପତି ଏର୍ନେଷ୍ଟ ମାବରି କହିଛନ୍ତି ଯେ, ମୋଦି ଶିଲଙ୍ଗରେ ଏକ ରୋଡ ଶୋ’ରେ ଅଂଶଗ୍ରହଣ କରିବେ ଏବଂ ଏକ ନିର୍ବାଚନ ରାଲିରେ ଯୋଗଦେବେ।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟାରେ ଦିମାପୁରରେ ଏକ ବିଶାଳ ରାଲି କରିବେ। ସେହିପରି ମଧ୍ୟାହ୍ନ ୧୨ଟାରେ ଶିଲଙ୍ଗରେ ଏକ ରୋଡ ଶୋ’ରେ ମୋଦି ଯୋଗ ଦେବା ସହ ଅପରାହ୍ନ ୨ ଟାରେ ତୁରାର କର୍ନାଡ ଶଙ୍ଗମାର ଦୁର୍ଗରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।