Categories: ଜାତୀୟ

ମୋଦି ତାଙ୍କ ଆଗାମୀ ଜନ୍ମଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ମନାଇବେ: କଂଗ୍ରେସ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାଜପା ନେତାଙ୍କ ଠାରୁ ବିରୋଧୀ ଦଳର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରୁଛନ୍ତି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ନୀତୀଶ କୁମାର ଏବଂ ଅରବିନ୍ଦ କେଜରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମୟରେ କଂଗ୍ରେସ ନେତା ପ୍ରମୋଦ ତିୱାରୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି।
ତିଓ୍ବାରୀ କହିଛନ୍ତି, ମୋଦି ତାଙ୍କର ଚଳିତ ବର୍ଷର ଜନ୍ମଦିନକୁ ପ୍ରଧାନମନ୍ତ୍ରୀ ଭାବେ ପାଳନ କରୁଛନ୍ତି। ମୁଁ ତାଙ୍କର ସୁସ୍ବାସ୍ଥ୍ୟ ଓ ଖୁସି କାମନା କରୁଛି। ହେଲେ ଅଗାମୀ ଜନ୍ମଦିନ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ପାଳନ କରିବେ ବୋଲି ତିଓ୍ବାରୀ କହିଛନ୍ତି।
ମୋଦିଙ୍କ ଜନ୍ମଦିନରେ କଂଗ୍ରେସ ରାଜ୍ୟ ସଭା ଏମପି ପ୍ରମୋଦ ତିୱାରୀ ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥାବାର୍ତ୍ତା କରୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ତିୱାରୀ କହିଛନ୍ତି,
ବହୁ ବଡ ନେତା ଆଜି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ମଧ୍ୟରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଅଛନ୍ତି। ଖାର୍ଗେ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି, ମୋଦି ଜୀଙ୍କୁ ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।

Share