ଆଗାମୀ ନିର୍ବାଚନରେ ମୋଦିଙ୍କୁ ବିଦେଶରୁ ମିଳିବ ସମର୍ଥନ

ଓ୍ବାଶିଂଟନ,୮।୨: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥାର୍ଡ ଟର୍ମର ସୁଯୋଗ ଦେବାକୁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଅଭିଯାନ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଓଭରସିଜ ଫ୍ରେଣ୍ଡସ୍‌ ଅଫ ବିଜେପି ଅନେକ ଯୋଜନା ପ୍ରସ୍ତୁତ କରିଛି। ଏଥିରେ ସାରା ଦେଶରେ ୨୫ ଲକ୍ଷ ଲୋକଙ୍କୁ ଫୋନ କରି ପ୍ରଧାନମନ୍ତ୍ରୀଙ୍କୁ ପୁଣି ଥରେ ବିଜୟୀ କରିବାକୁ ଭୋଟ ଦେବାକୁ ଅପିଲ କରାଯିବ। ଏହାସହ ୩୦୦୦ ଭାରତୀୟଙ୍କ ପ୍ରତିନିଧି ମଣ୍ଡଳଙ୍କୁ ଭାରତ ପଠାଯିବ।
ସେମାନେ ଦେଶର ଅନେକ ସ୍ଥାନରେ ଭାଜପା ଏବଂ ଏହାର ପ୍ରାର୍ଥୀଙ୍କ ସମର୍ଥନରେ ଅଭିଯାନ ଚଳାଇବେ। ବିଭିନ୍ନ ରାଜ୍ୟ ତଥା ଭାଷା ଅନୁଯାୟୀ କଲ କରିବା ତଥା ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା ପାଇଁ ସମଗ୍ର ଆମେରିକାରେ ଦୁଇ ଡଜନରୁ ଅଧିକ ଦଳ ଗଠନ କରାଯାଇଛି। ଡିସେମ୍ବରରୁ ଏଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହା ଅଧିକ ସକ୍ରିୟ ହୋଇଛି। ଓଏଫବିଜେପି ଆମେରିକାର ଅଧ୍ୟକ୍ଷ ଅଦାପା ପ୍ରସାଦ କହିଛନ୍ତି ଯେ ଫେବୃଆରୀରେ ଆମେ ସମଗ୍ର ଆମେରିକାରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରୁଛୁ।
ଆମେ କେବଳ ଭାଜପା ସମର୍ଥକ ଏବଂ ସ୍ବେଚ୍ଛାସେବୀମାନଙ୍କର ଓଭରସିଜ ଫ୍ରେଣ୍ଡସ ନୁହେଁ, ସାଧାରଣ ସମ୍ପ୍ରଦାୟ, ସମ୍ପ୍ରଦାୟର ନେତା ତଥା ଯେଉଁମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଏକାଠି କରିବାକୁ ଚେଷ୍ଟା କରୁଛୁ।
ଆମେ ଆମର ସମସ୍ତ ଏନଆରଆଇ ଭାଇ ଏବଂ ଭାରତୀୟ ପ୍ରବାସୀମାନଙ୍କୁ ଅନୁରୋଧ କରିବୁ ଯେ ସେମାନଙ୍କ ବନ୍ଧୁ ଏବଂ ପରିବାର ଲୋକଙ୍କୁ ଭାଜପାକୁ ଭୋଟ ଦେବାକୁ କୁହନ୍ତୁ। ସେ କାହିଁକି ସେମାନଙ୍କୁ ଭାଜପାକୁ ଭୋଟ ଦେବା ଉଚିତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାରଙ୍କ ସମସ୍ତ ସଫଳତାର ତାଲିକାଭୁକ୍ତ କରିବେ ବୋଲି ସେ କହିବେ।

Share