Categories: ଜାତୀୟ

ସନ୍ଧ୍ୟା ୭ଟାରେ ଭାଜପା କାର୍ଯ୍ୟାଳୟ ଯିବେ ମୋଦି, ୫ଟାରେ ରାହୁଲ କହିବେ ପ୍ରେସ କନଫରେନ୍ସ

ନୂଆଦିଲ୍ଲୀ,୪।୬: ମଙ୍ଗଳବାର ଲୋକ ସଭା ନିର୍ବାଚନର ଫଳାଫଳ ଆସୁଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ଭାଜପା ନେତୃତ୍ୱାଧୀନ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ତେବେ ଏହି ନିର୍ବାଚନରେ ଆଶା କରାଯାଉଥିବା ପରି ଭାଜପା ପ୍ରଦର୍ଶନ କରୁ ନ ଥିବା ଜଣାପଡିଛି। ସମାଜବାଦୀ ପାର୍ଟି ଏଥର ଉତ୍ତରପ୍ରଦେଶରେ ଚମତ୍କାର ପ୍ରଦର୍ଶନ କରିଛି। ଯେଉଁଠାରେ ଭାଜପା ରାଜ୍ୟରେ ବ୍ୟାପକ କ୍ଷତି ସହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସା ୭ଟାରେ ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପହଞ୍ଚିବେ ବୋଲି ଖବର ଆସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପରାହ୍ନ ୫ଟାରେ ଏକ ଖବରଦାତା ସମ୍ମିଳନୀ କରିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଭାଜପା ମୁଖ୍ୟାଳୟରୁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିପାରିବେ। ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଦଳର ଭବିଷ୍ୟତ ରଣନୀତି ବିଷୟରେ ସୂଚନା ଦେଇପାରିବେ।

ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ଅତିକ୍ରମ କରିସାରିଥିଲେ ମଧ୍ୟ ଉତ୍ତରପ୍ରଦେଶରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ହୋଇଛି। ୟୁପିରେ ଥିବା ୮୦ଟି ଲୋକସଭା ଆସନ ମଧ୍ୟରୁ ଭାଜପା ଏଥର ମାତ୍ର ୩୪ଟି ଆସନରେ ଆଗୁଆ ଥିବା ଜଣାପଡିଛି। ଅନ୍ୟପକ୍ଷରେ, ଇଣ୍ଡିଆ ଆଲାଇନ୍ସ ସହ ମିଳିତ ସମାଜବାଦି ପାର୍ଟି ଜବରଦସ୍ତ ପ୍ରଦର୍ଶନ କରିଛି। ଏସପି ଏଥର ଚମତ୍କାର ପ୍ରଦର୍ଶନ କରି ୩୪ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ଏଥର ୭ ଟି ଆସନ ଜିତୁଥିବା ଜଣାପଡିଛି, ଆରଏଲଡି ଦୁଇଟି ଆସନରେ ଏବଂ ଆଜାଦ ସମାଜ ପାର୍ଟି ଗୋଟିଏ ଆସନରେ ଆଗୁଆ ରହିଛି। ଯେଉଁଠାରେ ଅପନା ଦଲ (ସୋନେଲାଲ) ଗୋଟିଏ ସିଟ ପାଇଥିବା ଜଣାପଡିଛି।

Share