Categories: ଜାତୀୟ

‘୨୦୨୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ ମୋଦି’

ପାଟନା,୧୨।୮: ବିହାରରେ ଏନଡିଏ ସହ ସମ୍ପର୍କ ଭାଙ୍ଗିବା ପରେ ଭାରତୀୟ ଜନତା ପାର୍ଟିର ନେତାମାନେ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଗିରିରାଜ ସିଂ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ୨୦୧୪ରେ ଯେଉଁମାନେ ଆସିଛନ୍ତି ସେମାନେ ୨୦୨୪ରେ ରହିବେ ନାହିଁ ବୋଲି ନୀତୀଶ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାର ପାଲଟା ଜବାବ ଦେଇ ଗିରିରାଜ କହିଛନ୍ତି, ମୋଦି କେବଳ ୨୦୨୪ରେ ନୁହେଁ ବରଂ ୨୦୨୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ। ଭାଜପା ସହ ମେଣ୍ଟ ଭାଙ୍ଗିବାକୁ ନୀତୀଶ କୁମାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି। ସେ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି, ଯାହା କେବେ ପୂରଣ ହେବ ନାହିଁ।
ଏହାପୂର୍ବରୁ ଗିରିରାଜ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଏକ ପୁରୁଣା ମନ୍ତବ୍ୟକୁ ନେଇ ନୀତୀଶ କୁମାରଙ୍କୁ ଘେରିଥିଲେ। ୨୦୧୭ରେ ନୀତୀଶ ମହାମେଣ୍ଟ ଛାଡି ଭାଜପା ସହ ହାତ ମିଳାଇ ସରକାର ଗଠନ କରିଥିଲେ। ସେତେବେଳେ ଲାଲ ଟୁଇଟ୍‌ ଯୋଗେ ନୀତୀଶ ଏକ ସାପ, ଯେପରି ସାପ କାତି ଛାଡିଥାଏ, ନୀତୀଶଙ୍କ ମଧ୍ୟ ଗୋଟିଏ ଚର୍ମ ଛାଡିଥାଏ ଏବଂ ପ୍ରତି ୨ ବର୍ଷରେ ଥରେ ସାପର ନୂଆ ଚମଡା ତିଆରି ହୁଏ ବୋଲି କହିଥିଲେ। ସେହି ଟୁଇଟ୍‌ର ସ୍କ୍ରିନସଟ୍‌ ଶେୟାର କରି ଗିରିରାଜ ସିଂ କହିଥିଲେ, ଲାଲୁ ଜୀ ସାପ ଆପଣଙ୍କ ଘରେ ପ୍ରବେଶ କରିଛି।
ସୂଚନାଯୋଗ୍ୟ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚତ୍ ଥିବାବେଳେ ରାଜ୍ୟରେ ଏନ୍‌ଡିଏ ମେଣ୍ଟ ଭାଙ୍ଗି ଯାଇଥିଲା। ଜେଡିୟୁର ଅଭିଯୋଗ ଥିଲା ଦଳ ଭିତରେ ନୀତୀଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିଲା। ଶେଷରେ ଭାଜପାଠାରୁ ଦୂରେଇ ନୀତୀଶ କୁମାର ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଛନ୍ତି।

Share