Categories: ଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗେଦେବେ ଏହି ସବୁ ଦେଶର ରାଷ୍ଟ୍ରନେତା

ନୂଆଦିଲ୍ଲୀ,୬ା୬: ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୨୯୩ ଆସନ ଜିତି ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି। ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା ୬ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କ୍ରମାଗତ ୩ ଥର ପ୍ରଧାନମନ୍ତ୍ରୀ ହେବାରେ ମୋଦି ଦ୍ୱିତୀୟ ଭାରତୀୟ ହେବାକୁ ଯାଉଛନ୍ତି। ପୂର୍ବରୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ କେବଳ କ୍ରମାଗତ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ବୁଧବାର ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକର ମୁଖ୍ୟମାନଙ୍କ ବୈଠକ ବସି ମୋଦିଙ୍କୁ ନେତା ଚୟନ କରାଯାଇଥିଲା।

ପୂର୍ବରୁ ଶନିବାର ରାତି ୮ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଖବର ପ୍ରକାଶ ପାଇଥିବାବେଳେ ଏହି ସମୟରେ ପରିବର୍ତ୍ତନ କରାଯାଇଛି। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ବହୁ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂହେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’, ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍‌ ଟୋବ୍‌ଗେ ଏବଂ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ। ସୂଚନାଯୋଗ୍ୟ, ୨୦୧୪ରେ ମୋଦିଙ୍କ ପ୍ରଥମ ଶପଥ ଗ୍ରହଣ ଉତ୍ସବକୁ ସାର୍କ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ୨୦୧୯ରେ ବିମ୍‌ଷ୍ଟେକ୍‌ ଦେଶଗୁଡ଼ିକ ସମେତ ମରିସସ୍‌ ଏବଂ କିର୍‌ଗିଜସ୍ତାନର ନେତାମାନେ ନିମନ୍ତ୍ରିତ ହୋଇଥିଲେ।

Share