Categories: ଜାତୀୟ

ମନ୍ତ୍ରୀଙ୍କୁ ମୋଦିଙ୍କ ତାଗିଦ୍‌, ନିର୍ବାଚନ ହେଉଥିବା ରାଜ୍ୟକୁ ଦିଅ ପ୍ରାଥମିକତା…

ନୂଆଦିଲ୍ଲୀ,୭।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶ,ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସମସ୍ତ ମନ୍ତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେବା ସହିତ ତାଗିଦ୍‌ କରିଛନ୍ତି। ପ୍ରାଥମିକତା ଭିତ୍ତିରେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ପ୍ରସ୍ତାବିତ ସମସ୍ତ କାର୍ଯ୍ୟ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଦିନ ବୈଠକ କରାଯାଉଛି। ବିଶେଷକରି ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ବିକାଶ କାର୍ଯ୍ୟ ସମ୍ବନ୍ଧରେ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି ।

ଇତିମଧ୍ୟରେ କେତେକ ଗଣମାଧ୍ୟମ ସଂସ୍ଥାପକ୍ଷରୁ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡିକରେ ସର୍ଭେ କରାଯାଇଛି। ସର୍ଭେ ଅନୁଯାୟୀ, ଉତ୍ତରପ୍ରଦେଶରେ ଭାଜପା ୨୫୯ରୁ ୨୬୭ଟି ଆସନ ପାଇବାର ଆଶା ରହିଛି। ସେହିପରି ସମାଜବାଦ ପାର୍ଟିକୁ ୧୦୯ରୁ ୧୧୭ ଆସନ, ବିଏସପିକୁ ୧୨ରୁ ୧୬, କଂଗ୍ରେସ କୁ ୩ରୁ ୭ ଏବଂ ଅନ୍ୟାନ୍ୟଙ୍କୁ ୬ରୁ ୧୦ ଆସନ ମିଳିବାର ଆଶା ରହିଛି।

ଆମ ଆଦମୀ ପାର୍ଟି (ଏଏପି) ପଞ୍ଜାବର ସବୁଠାରୁ ବଡ ଦଳ ଭାବରେ ଉଭା ହୋଇପାରେ। ପଞ୍ଜାବର ୧୧୭ ଟି ବିଧାନସଭା ଆସନ ମଧ୍ୟରୁ ଏଏପିକୁ ୫୧ରୁ ୫୭ ଆସନ ମିଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୩୮ ରୁ ୪୬, ଶିରୋମଣି ଅକାଳୀ ଦଳକୁ ୧୬ରୁ ୨୪ ଆସନ ମିଳିବାର ଆଶା ରହିଛି। ସେହିପରି ଭାଜପା ସହିତ ଅନ୍ୟ ଦଳଙ୍କୁ ଶୂନରୁ ୧ ପର୍ଯ୍ୟନ୍ତ ଆସନ ମିଳିବାର ସମ୍ଭାବନା ରହିଛି।

ଉତ୍ତରାଖଣ୍ଡରେ ଭାଜପା ୪୪ ରୁ ୪୮ଟି ଆସନ, କଂଗ୍ରେସ ୧୯ ରୁ ୨୩ ଆସନ, ଆମ ଆଦମୀ ପାର୍ଟି ଶୂନ ରୁ ୪ ଟି ଆସନ ଏବଂ ଅନ୍ୟ ଦଳ ଶୂନ ରୁ ୨ ଟି ଆସନ ପାଇବ ବୋଲି ଆଶା କରାଯାଉଛି। ଗୋଆରେ ଭାଜପା ଖାତାକୁ ୨୨ ରୁ ୨୬ ଆସନ, କଂଗ୍ରେସ ୩ରୁ ୭ ଆସନ, ଆମ ଆଦମୀ ପାର୍ଟି ୪ରୁ ୮ ଏବଂ ଦଳ ୩ରୁ ୭ ଆସନରେ ବିଜୟୀ ହୋଇ ପାରନ୍ତି। ସେହିପରି ମଣିପୁରରେ କଂଗ୍ରେସକୁ ୧୮ ରୁ ୨୨ ଆସନ, ବିଜେପି ମିଳିତ ମଞ୍ଚକୁ ୩୨ ରୁ ୩୬, ଏନ୍‌ପିଏଫ୍‌କୁ ୨ରୁ ୬ ଏବଂ ଅନ୍ୟ ଦଳଙ୍କୁ ଶୂନରୁ ୪ଟି ଆସନ ମିଳିବାର ଆଶା ଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

Share