ନବୀନଙ୍କୁ ମୋଦିଙ୍କ ବଡ଼ ଚ୍ୟାଲେଞ୍ଜ, କାଗଜରେ ଲେଖି ପାରିବ…

ଭୁବନେଶ୍ୱର,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୨ ଦିନିଆ ଗସ୍ତରେ ଶନିବାର ଫୁଲବାଣୀରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ଏହାପରେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ମେଗା ରୋଡ ଶୋ’ ବିଷୟରେ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଫୁଲବାଣୀ ଜନସଭାରେ ବିଜେଡିକୁ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ହମଲା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋଦି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କୁ ମୁଁ ଆଜି ଏକ ଚ୍ୟାଲେଞ୍ଜ ଦେଉଛି। ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଧରାଇ ଛିଡ଼ା କରାଯାଉ। ନବୀନ ବାବୁଙ୍କୁ ବିନା କାଗଜରେ ଜିଲା ନାଁ ଓ ଜିଲା ମୁଖ୍ୟାଳୟ ନାଁ ଲେଖିବାକୁ କୁହାଯାଉ। ଏବେ ଆପଣ କୁହନ୍ତୁ ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲା ନାଁ ଜାଣି ନାହାନ୍ତି, ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି? ମୋତେ ୫ ବର୍ଷ ସୁଯୋଗ ଦିଅନ୍ତୁ, ଭାଜପା ଓଡ଼ିଶାକୁ ନମ୍ବର ୱାନ କରିଦେବ।

ସେହିପରି ମୋଦି ନବୀନଙ୍କୁ ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ଖୁଲମଖୁଲା ନିଶାଣ କରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା। ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ। ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି। ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ। ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ବିଜେଡି ସରକାର। ଚାବି କୁଆଡ଼େ ଗଲା, ଆପଣଙ୍କର ଜାଣିବା ଅଧିକାର ଅଛି।

ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି। ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା। ଡୁପ୍ଲିକେଟ ଚାବିରେ କେହି ରତ୍ନ ଭଣ୍ଡାର ଖୋଲୁ ନ ଥିଲା ତ, ରତ୍ନ ନେଉ ନ ଥିଲା ତ। ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ। ଏଥିପାଇଁ କମିଶନ ତ ବସିଲା, ହେଲେ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ ଭୀତତ୍ରସ୍ତ ଅଛନ୍ତି। ଭାଜପା ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ।

Share